ମେଘା ସେକ୍ଟରରେ ପୋଷଣ ସପ୍ତାହ ପାଳିତ

ଆଠଗଡ଼ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଜନଗର ପଞ୍ଚାୟତଠାରେ ସୋମବାର ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରି ଉପଯୁକ୍ତ ପୋଷଣ ଅଭାବରୁ ଶିଶୁ ଓ ଗର୍ଭବତୀ ମାଆମାନେ ବିଭିନ୍ନ ରୋଗ ଓ ରକ୍ତହୀନତାର ଶିକାର ହୁଅନ୍ତି ବୋଲି ପ୍ରକାଶ କରିଥିଲେ। ମାଆମାନେ ଗର୍ଭବତୀ ହେବା ସମୟରେ ତାଙ୍କୁ ଧନୁଷ୍ଟଙ୍କାରର ୨ଟି ପାନ ଟିକା ଦେବା ସହିତ ଲୌହସାର ଓ କ୍ୟାଲସିୟମ ବଟିକା ସହିତ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ଦେବା ଜରୁରୀ। ପ୍ରତ୍ୟେକ ଦିନ ୩ଥର ପରିବର୍ତ୍ତେ ସ୍ୱଳ୍ପ ପରିମାଣ ହେଉ ପଛେ ୪-୬ଥର ଉପଯୁକ୍ତ ପୋଷଣ ଖାଦ୍ୟ ଦେବା ଆବଶ୍ୟକ ଶିଶୁ ଜନ୍ମ ହେବା ମାତ୍ରେ ମାଆର କଷକ୍ଷୀର ନିହାତି ଦେବା ଆବଶ୍ୟକ ଏବଂ ଏହା ଶିଶୁ ପାଇଁ ମହଷୋଧି ତୁଲ୍ୟ ବୋଲି ଶ୍ରୀ ଅସଲମ କହିଥିଲେ। ଅତିକମ୍ରେ ୬ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମାଆ କ୍ଷୀର ଦେବା ଉଚିତ୍। କାରଣ ଏଥିରେ ସମସ୍ତ ପ୍ରକାରର ପୋଷଣ ତତ୍ୱ ରହିଥାଏ। ସାଧାରଣତଃ ଶିଶୁମାନେ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ନଖାଇଲେ ପୁଷ୍ଟିସାର ଅଭାବଜନିତ ରୋଗ ସୃଷ୍ଟି ହୁଏ। ପୁଷ୍ଟିହୀନ ପିଲାମାନଙ୍କର ରୋଗପ୍ରତିରୋଧକ ଶକ୍ତିମଧ୍ୟ କମିଥାଏ। ତେଣୁ ପୋଷଣଯୁକ୍ତ ଖାଦ୍ୟ ଉଭୟ ମାଆ ଓ ଶିଶୁଙ୍କୁ ଦେବା ଜରୁରୀ ବୋଲି ଶ୍ରୀ ଅସଲମ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ମାଆମାନେ ପୋଷଣଯୁକ୍ତ ଖାଦ୍ୟମଧ୍ୟରେ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ପିଠା, ବିଭିନ୍ନ ପ୍ରକାର ଡାଲି ଓ ଶସ୍ୟଜାତୀୟ ଖାଦ୍ୟ ସାମଗ୍ରୀ ଆଣି ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନଗର ସରପଞ୍ଚ ମହେନ୍ଦ୍ର କୁମାର ପରିଡ଼ା ଓ ବ୍ରହ୍ମପୁର ସିଏଚସିର ପିଏଚଓ କବିତାରାଣୀ ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସ୍ୱାସ୍ଥ୍ୟକର୍ମୀ ନମିତା ପ୍ରତାପ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ମମତା ପଣ୍ଡା, ମଧୁସ୍ମିତା ପ୍ରଧାନ, ଆଶାକର୍ମୀ ବାସନ୍ତି ବର୍ମା ଓ ଅମିତା ସାହୁଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.