ଭୁବନେଶ୍ବର: କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମ୍ମନ୍ବିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲାରେ ଖୁସିର ଲହରୀ ଖେଳି ଯାଇଛି। ଚମ୍ପୁଆର କରା ଖେନ୍ଦ୍ରା ଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇବା ପାଇଁ ଜିଲ୍ଲାର ନାଗରିକ ମାନଙ୍କ ପକ୍ଷରୁ ଏକ ଧନ୍ୟବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଧନ୍ୟବାଦର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କେନ୍ଦୁଝରରେ ଖଣି ସମୃଦ୍ଧ ଏକ ଇସ୍ପାତ କାରଖାନା ତାଙ୍କର ବହୁ ଦିନର ଇଚ୍ଛା ଥିଲା । ଜିଲାରେ ଇସ୍ପାତ ପ୍ରକଳ୍ପ ପାଇଁ ବିଧାୟକ ମାନଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବି ଓ ସବୁ ବର୍ଗର ଲୋକମାନେ ତାଙ୍କୁ ଅନୁରୋଧ ଜଣାଇଥିଲେ। ଆଜି ଜିଲାରେ ଇସ୍ପାତ ପ୍ରକଳ୍ପ ସାକାର ରୂପ ନେଇଥବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ପ୍ରକଳ୍ପ ଯେପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
କେନ୍ଦୁଝରର ବିକାଶ ପାଇଁ ବିଜୁବାବୁ ସବୁବେଳେ ତତ୍ପର ଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝରରେ ଖୁବ ଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। କେନ୍ଦୁଝରରେ ଏକ ନୂଆ ନର୍ସିଙ୍ଗ କଲେଜ ଖୋଲାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କେନ୍ଦୁଝରରେ ଆରମ୍ଭ ହୋଇଥିବା ମେଗା ପାଇପ ଜଳ ଯୋଗାଣ ଦ୍ବାରା ସାରା ଜିଲାର ପ୍ରତି ଘରେ ଘରେ ପାଇପ ଯୋଗେ ଭଲ ପିଇବା ପାଣି ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ତ ସହିତ ଜିଲ୍ଲାର ରାସ୍ତାଘାଟ ଉନ୍ନତି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ। ତେଣୁ ସବୁ ସରକାରୀ ପ୍ରକଳ୍ପ ଯେପରି ଠିକ ସମୟରେ ଶେଷ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ କେନ୍ଦୁଝର ଜିଲାର ସମସ୍ତ ବିଧାୟକ, ପଦ୍ମଶ୍ରୀ ଦୈତାରୀ ନାୟକ, କେନ୍ଦୁଝର ନାଗରିକ ଫୋରୋମ , ବରିଷ୍ଠ ନାଗରିକ ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଇସ୍ପାତ କାରଖାନା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।



