www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ପାଦକୀୟ: ଉପନିର୍ବାଚନ; ଗଣତନ୍ତ୍ରର ମୂଳ ଉଦ୍ଦେଶ୍ୟ ଅତୁଟ ରହୁ

ନୂଆପଡ଼ା ବିଧାନସଭା ଆସନର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। କିଛି ଦିନ ଧରି ଏହି ବିଧାନସଭା ଅଞ୍ଚଳରେ ଯେଉଁ ରାଜନୈତିକ ମହୋତ୍ସବ ଚାଲିଥିଲା, ତାହା କେବଳ ଗୋଟିଏ ଆସନ ପାଇଁ ନିର୍ବାଚନ ନୁହେଁ, ବରଂ ପ୍ରାୟ ଏକ ପୂର୍ଣ୍ଣାଙ୍ଗ ବିଧାନସଭା ନିର୍ବାଚନର ଚିତ୍ର ପ୍ରଦାନ କରୁଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ, ବାହାର ରାଜ୍ୟର କିଛି ନେତା, ମୁଖ୍ୟମନ୍ତ୍ରୀ, ବିଧାନସଭା ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପିସିସି ସଭାପତିଙ୍କ ବାରମ୍ବାର ପ୍ରଚାର ରୋଡ଼ ଶୋ, ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରମୁଖ ନେତାମାନେ ସେଠାରେ ଡ଼େରା ପକାଇ ରହିବା, ବିରାଟ ଜନସମାବେଶ ଓ ରାଜନୈତିକ ଉତ୍ସାହ – ଏସବୁ ପ୍ରମାଣ କରୁଥିଲା ଯେ ସବୁ ପକ୍ଷ ଏହି ନିର୍ବାଚନକୁ ନିଜର ପ୍ରତିଷ୍ଠାର ପ୍ରଶ୍ନ ଭାବରେ ଦେଖୁଥିଲେ। ଏବେ କିନ୍ତୁ ଏହି ରାଜନୈତିକ ଉତ୍ସବର ଉତ୍ତାପ କମିଯାଇଛି। ପ୍ରଶ୍ନ ଉଠୁଛି- ରାଜନୈତିକ ଦଳମାନେ ଗୋଟିଏ ଉପନିର୍ବାଚନକୁ ଏତେ ଗୁରୁତ୍ୱ ପ୍ରଦାନ କରିବା ରାଜ୍ୟର ହିତ ଦୃଷ୍ଟିରୁ କେତେ ଠିକ୍?

ନୂଆପଡ଼ାର ସ୍ଥାନୀୟ ନେତାମାନେ ସେଠାର ପ୍ରକୃତ ସମସ୍ୟା ଜାଣନ୍ତି- ଜଳ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶକ୍ତି, ବେକାରୀ; କିନ୍ତୁ ଯେତେବେଳେ ରାଜଧାନୀରୁ କିମ୍ବା ଅନ୍ୟ ଜିଲାରୁ ବଡ଼ ବଡ଼ ନେତାମାନେ ଆସି ମଞ୍ଚ ଦଖଲ କରନ୍ତି, ସେତେବେଳେ ସ୍ଥାନୀୟ ନେତୃତ୍ବ ଓ ସ୍ଥାନୀୟ ସମସ୍ୟା ସେମାନଙ୍କ ଛାଇରେ ଲୁଚିଯାଏ। ଗତ ପନ୍ଦର ଦିନ ଧରି ନୂଆପଡ଼ାରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ଯେଉଁ ଆରୋପ ପ୍ରତ୍ୟାରୋପ ଚାଲିଥିଲା ତା ଭିତରେ ନୂଆପଡ଼ାର କୃଷକର ଫସଲ ନଷ୍ଟ ସମସ୍ୟା, ରାସ୍ତା, ହସ୍ପିଟାଲରେ ଡାକ୍ତର ଅଭାବ, ଦାଦନ ଶ୍ରମିକ ସମସ୍ୟା ଭଳି ସ୍ଥାନୀୟ ବିଷୟ ଗୌଣ ହୋଇଯାଇଥିଲା।

- Advertisement -

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପନିର୍ବାଚନରେ ସ୍ଥାନୀୟ ନେତାମାନେ ପ୍ରାଧାନ୍ୟ ପାଇବା ଆବଶ୍ୟକ। ମାତ୍ର ଯେତେବେଳେ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳର ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଯାଇ ସେଠାରେ ପ୍ରଚାର କରନ୍ତି, ସେତେବେଳେ ଲୋକେ ସେମାନଙ୍କୁ ଉତ୍ସୁକତାର ସହ ଦେଖନ୍ତି। ସେମାନଙ୍କ ସଭାମାନଙ୍କରେ ଲୋକେ ଭିଡ଼ କରନ୍ତି, ସମର୍ଥନ ଲାଗି ନୁହେଁ ବରଂ କେବଳ ରାଜ୍ୟସ୍ତରୀୟ ନେତାମାନଙ୍କୁ ଦେଖିବା ଲାଗି। ଏହାର ଅର୍ଥ ଏହା ନୁହେଁ ଯେ ବଡ଼ ନେତାମାନେ ଉପନିର୍ବାଚନରେ ପ୍ରଚାର କରିବା ଉଚିତ ନୁହେଁ। ସେମାନେ ନିଶ୍ଚୟ ଆସିପାରିବେ; କିନ୍ତୁ ସୀମିତ ମାତ୍ରାରେ। ଏହାଠାରୁ ମଧ୍ୟ ଅଧିକ ଚିନ୍ତାଜନକ ଥିଲା ଏହି ଉପନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ଆଧୁନିକ ପ୍ରଯୁକ୍ତିର ଦୁରୁପଯୋଗ। ବିଭିନ୍ନ ଦଳର ସମର୍ଥକ ଓ ନେତାମାନେ ସୋସିଆଲ୍ ମିଡିଆରେ ପରସ୍ପର ବିରୋଧରେ ବିଷାକ୍ତ ପ୍ରଚାର, ବ୍ୟକ୍ତିଗତ ଆକ୍ରମଣ, ଭୁଲ ତଥ୍ୟ ପ୍ରସାର ଏବଂ ଅଶୋଭନୀୟ ଭାଷା ବ୍ୟବହାର କଲେ। ଏହା କେବଳ ଅଗ୍ରହଣୀୟ ନୁହେଁ, ବରଂ ସୁସ୍ଥ ରାଜନୈତିକ ସଂସ୍କୃତିର ପତନର ଲକ୍ଷଣ।

ଗଣତନ୍ତ୍ରରେ ଉପନିର୍ବାଚନର ମୂଳ ଉଦ୍ଦେଶ୍ୟ ଅତ୍ୟନ୍ତ ସରଳ ଓ ସ୍ପଷ୍ଟ। ଯେତେବେଳେ ଗୋଟିଏ ବିଧାନସଭା ଆସନ କୌଣସି କାରଣରୁ ଖାଲିପଡ଼େ- ବିଧାୟକଙ୍କ ମୃତ୍ୟୁ, ଇସ୍ତଫା କିମ୍ବା ଅଯୋଗ୍ୟତା ହେତୁ, ସେତେବେଳେ ସେଠାରେ ଉପନିର୍ବାଚନ କରାଯାଏ। ଏହା ହେଉଛି ମୂଳତଃ ସ୍ଥାନୀୟ ଲୋକମାନଙ୍କର ନିଜ ସମସ୍ୟା, ନିଜ ଆବଶ୍ୟକତା ବୁଝି ସେମାନଙ୍କ ପାଇଁ ସ୍ୱର ଉଠାଇବାକୁ ଏକ ଯୋଗ୍ୟ ପ୍ରତିନିଧି ବାଛିବାର ଗଣତାନ୍ତ୍ରିକ ଅଧିକାର। ଏହା ରାଜ୍ୟ କିମ୍ବା ଜାତୀୟ ସ୍ତରର ରାଜନୈତିକ ଖେଳର ମଞ୍ଚ ହେବା ଉଚିତ ନୁହେଁ। ନୂଆପଡ଼ାରେ ଯାହା ଘଟିଲା, ତାହା ଉପନିର୍ବାଚନର ଏହି ମୂଳ ଉଦ୍ଦେଶ୍ୟଠାରୁ ବହୁ ଦୂରରେ ଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories