ଏଇ ସହରରେ କେହି ମରନ୍ତିନି, କାରଣ ଏଠି ‘ମରିବା ମନା’
ଓସୋଲୋ : ଏଇ ଦୁନିଆରେ ଏମିତି ଅନେକ ରହସ୍ୟ ଅଛି; ଯାହା ଏପର୍ଯ୍ୟନ୍ତ ଆମେ ଜାଣିନାହୁଁ। ଏଭଳି ଏନେକ ରହସ୍ୟ ଧୀରେ ଧୀରେ ସମସ୍ତଙ୍କ ସାମ୍ନାକୁ ଆସୁଛି। ସେହିପରି ୟୁରୋପର ଦ୍ବୀପ ଦେଶ ନରୱେର ଏକ ଛୋଟ ସହର ଲୋଙ୍ଗୟରେବେନରେ କେହି ମରନ୍ତିନି ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହା ପଛର ରହସ୍ୟ ବି ଅଜବ ରହିଛି। କାରଣ ଏହି ସହରରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଳଗାଯାଇଛି। ଅର୍ଥାତ ଏଠାରେ ‘ମରିବା ମନା’। ଏହି ସହରଟି ଦେଖିବାକୁ ବହୁତ ସୁନ୍ଦର। ମୃତ୍ୟୁ ଉପରେ ପ୍ରତିବନ୍ଧକ ଖବରକୁ ବିଶ୍ୱାସ କରିବା କଷ୍ଟକର। ମାତ୍ର ଏହି ସହର ପାଇଁ ଏହା ସମ୍ପୂର୍ଣ୍ଣ ସତ୍ୟ। ଲୋଙ୍ଗୟରେବେନ ସହର ପ୍ରଶାସନ ମରଣ ଉପରେ ପ୍ରତିବନ୍ଧକ ଲଗାଇଛି। ନରୱେ ଏବଂ ଉତ୍ତର ଗୋଲାର୍ଦ୍ଧ ମଧ୍ୟରେ ଅବସ୍ଥିତ ଏହି ସହରର ରକ୍ତ ଜମାଟ ବାନ୍ଧିଦେବା ଭଳି ଥଣ୍ଡା ପଡିଥାଏ। ଶୀତ ଋତୁରେ ତାପମାତ୍ରା ବିଯୁକ୍ତ ୧୦ ତଳକୁ ଚାଲିଯାଏ। ୨୦୦୦ ଲୋକସଂଖ୍ୟା ବିଶିଷ୍ଟ ଏହି ସହରରେ ଲୋକଙ୍କ ମରଣ ଉପରେ ପ୍ରତିବନ୍ଧକ ଳଗାଯାଇଛି। କାହାର ମୃତ୍ୟୁ ବେଳ ପାଖେଇ ଆସିଲେ କିମ୍ବା ମରଣ ନିକଟତର ଥିଲେ ହେଲିକପ୍ଟର ଯୋଗେ ତାଙ୍କୁ ଅନ୍ୟତ୍ର ନିଆଯାଏ। ମୃତ୍ୟୁ ପରେ ବାହାରେ ତାଙ୍କ ସତ୍କାର କରାଯାଇଥାଏ। ଏହି ପ୍ରତିବନ୍ଧକର କାରଣ ବି ବିଯୁକ୍ତ ବା ଅତ୍ୟନ୍ତ ଥଣ୍ଡା ପାଣିପାଗ ବୋଲି ଜାଣିବାକୁ ମିଳିଛି। ଏକ ଗବେଷଣାରୁ ଜଣାପଡିଥିଲା ଯେ ୧୯୧୭ରେ ଇନଫ୍ଲୁଏଞ୍ଜା (ଥଣ୍ଡା ଜନିତ ଜ୍ୱର)ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ପର୍ଯ୍ୟନ୍ତ ମୃତଶରୀରରେ ଇନଫ୍ଲୁଏଞ୍ଜା ଭୂତାଣୁ ସେହିପରି ଥିଲା। ଉଲ୍ଲେଖ ଯେ ଇନଫ୍ଲୁଏଞ୍ଜା ଏକ ସଂକ୍ରାମକ ଭୂତାଣୁ ବା ଭାଇରସ। ଏହାଦ୍ୱାରା ମଣିଷ ଜ୍ୱରରେ ପଡିଥାଏ ଓ ବହୁତ ଦୁର୍ବଳ ହୋଇଯାଇଥାଏ। ଅତ୍ୟଧିକ ଥଣ୍ଡା ଯୋଗୁଁ ଏହି ସହରରେ ମୃତଶରୀର ଗଳିତ ହୋଇନଥାଏ ଓ ବର୍ଷ ବର୍ଷ ଧରି ସେପରି ପଡିରହିଥାଏ। ରୋକ ବ୍ୟାପୀବାର ବିପଦ ଦେଖାଯିବା ପରେ ଏଠାକାର ପ୍ରଶାସନ ସହରରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।