ନୂପୁର ଶର୍ମାଙ୍କୁ ଉଚ୍ଚତମ ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି, ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଗିରଫଦାରୀ ଉପରେ ରୋକ୍‌

ନୂଆଦିଲ୍ଲୀ – ମଙ୍ଗଳବାରରେ ସୁପ୍ରିମକୋର୍ଟଙ୍କ ଠାରୁ ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି ମିଳିଛି । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଛନ୍ତି । ଭବିଷ୍ୟତରେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁହେଲେ ମଧ୍ୟ ଅଦାଲତଙ୍କ ରାୟ ବଳବତ୍ତର ରହିବ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଯାଇଛି ।

ନୂପୁରଶର୍ମାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମନିନ୍ଦର ସିଂ ତାଙ୍କ ମହକିଲଙ୍କ ଜୀବନ ପ୍ରତି ଅତି ବିପଦ ଥିବା କଥା ଅଦାଲତଙ୍କୁ ଜଣାଇଥିଲେ । କିଛି ଦିନ ତଳେ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ରାଜସ୍ଥାନରେ ଜଣେ ଦରଜୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ପୁଲିସ ହତ୍ୟାକାରୀମାନଙ୍କୁ ଗିରଫ କରିଥିଲା । ପରେ ଏହି ହତ୍ୟାକାରୀମାନଙ୍କୁ ଅବସ୍ଥା ଏପରି ହୋଇଥିଲା କି ପୁଲିସ ସେମାନଙ୍କୁ କାନ୍ଧରେ ବୋହି କରି ଅଦାଲତରେ ହାଜର କରିବା ପାଇଁ ନେଇଥିଲେ । ସେହିପରି ବିହାରରେ ନୂପରଙ୍କ ସମର୍ଥନରେ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ ।

ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ପରଦିଓ୍ୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ସଲମାନ ଚିସ୍ତି ଦେଇଥିବା ଧମକର ଭାଇରାଲ୍‌ କ୍ଲିପ୍‌କୁ ଦେଖିଥିଲେ । ଦେଶର ବିଭିନ୍ନ ସ୍ଥାନରୁ ନୂପୁରଙ୍କୁ ହତ୍ୟା ଏବଂ ଦୁଷ୍କର୍ମପରି ଧମକ ଦିଆଯାଉଥିବା କଥା ଖଣ୍ଡପୀଠ ଆଗରେ ନୂପରଙ୍କ ଆଇନଜୀବୀ ପ୍ରମାଣ ଉପସ୍ଥାପନ କରିଥିଲେ ।

ପୂର୍ବରୁ ନୂପୁର ଶର୍ମା ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ହେଲେ ଅଦାଲତଙ୍କ ଖଣ୍ଡପୀଠ ଏହାକୁ କଡା ଶଦ୍ଦରେ ତାଙ୍କୁ ନିନ୍ଦା କରିଥିଲେ । ଏହାପରେ ତାଙ୍କୁ ବିଭିନ୍ନ ସ୍ଥାନରୁ ତାଙ୍କୁ ଦୁଷ୍କର୍ମ ଏବଂ ହତ୍ୟାର ଧମକ ମିଳୁଥିବାରୁ ସେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Comments are closed.