ସହରରେ ମାଛ ମାଂସ ବିକ୍ରି ବନ୍ଦ, ନୂତନ ଆମିଷ ବଜାରକୁ ଯିବା ପାଇଁ ନାରାଜ ବ୍ୟବସାୟୀ

ଫୁଲବାଣୀ : ସହରର ବିଭିନ୍ନ ସ୍ଥାନରେ ବସି ମାଛ ମାଂସ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୋକାନ ଖୋଲିବା ପାଇଁ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଆଇଟିଆଇ ନିକଟରେ ଏକ ଆମିଷ ବଜାର ନିର୍ମାଣ କରାଯାଇଛି। ପ୍ରାୟ ୫ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଆମିଷ ମାର୍କେଟର କାର୍ଯ୍ୟ ଏବେ ଶେଷ ହୋଇ ଗତ ସ୍ବାୟତ୍ତ ଶାସନ ଦିବସରେ ଉଦଘାଟିତ ହୋଇଛି । ଏହି ବଜାର ନିର୍ମାଣରେ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ମାଛ, ମାଂସ ବେପାରୀ ମାନଙ୍କୁ ନୋଟିସ କରି ନୂଆ ଆମିଷ ବଜାରକୁ ସ୍ଥାନାନ୍ତର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବ୍ୟବସାୟୀ ମାନେ ସେଠାରେ ବିଭିନ୍ନ ପ୍ରକାର ସମସ୍ୟା ଥିବା କହି ସ୍ଥାନାନ୍ତର ହେବା ପାଇଁ ଅସହମତି ପ୍ରକାଶ କରିଛନ୍ତି । ଏହାକୁ ନେଇ ଆମିଷ ବ୍ୟବସାୟୀ ସଂଘ ଓ ପୌର ପ୍ରଶାସନ ମଧ୍ୟରେ ଏକ ଅଚଳାବସ୍ଥା ସୃଷ୍ଟି ହେବାରୁ ଗତ ଚାରି ଦିନ ହେଲା ଫୁଲବାଣୀ ସହରରେ ସମସ୍ତ ପ୍ରକାର ଆମିଷ ବିକ୍ରିକୁ ସଂଘ ପକ୍ଷରୁ ବନ୍ଦ ରଖାଯାଇଛି । ସଂଘର ଅଭିଯୋଗ ଅନୁସାରେ, ଏହି ନୂତନ ଆମିଷ ମାର୍କେଟ ସହରଠାରୁ ଦୂରରେ ରହିଛି । ଏଥିସହ ଏହି ସ୍ଥାନଟି ଏକ ଜନଶୂନ୍ୟ ଅଞ୍ଚଳ। ପୌରାଞ୍ଚଳର ବିଭିନ୍ନ ଅଳିଆ ଆବର୍ଜନା ମଧ୍ୟ ଏଠାରେ ପକାଯାଉଛି । ଏହା ସେମାନଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି କହିଛି ସଂଘ।

ଏହା ପରିବର୍ତ୍ତେ ସହରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ତିନୋଟି ସ୍ଥାନରେ ଆମିଷ ବଜାର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛି ସଙ୍ଘ । ଆଜି ଏହି ସମସ୍ୟା ନେଇ ପୁଣିଥରେ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସଂଘର କର୍ମକର୍ତ୍ତା ମାନେ। ତେବେ ପ୍ରଥମେ ନୂଆ ମାର୍କେଟ ସ୍ଥାନକୁ ଊଠିଯିବା ପାଇଁ ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ପୌର ପ୍ରଶାସନ। ସଂଘର ଅଭିଯୋଗ ପ୍ରକାରେ ଯାହା ବି ସମସ୍ୟା ରହିଛି ସେ ସବୁର ସମୟାନୁକ୍ରମେ ସମାଧାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରକାଶ କରିଛନ୍ତି। ତେବେ ଏ ନେଇ କୌଣସି ଚୂଡାନ୍ତ ଫଇସଲା ହୋଇ ପାରି ନ ଥିବା ବେଳେ ସହରବାସୀ ଚାରିଦିନ ହେଲା ଆମିଷ ଖାଇବାରୁ ବଞ୍ଚିତ ହୋଇ ରହିଛନ୍ତି।

Comments are closed.