ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ପଛରେ ଅଣ୍ଡରଓ୍ବାର୍ଲ୍ଡର ହାତ ନାହିଁ। ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଯୋଗେଶ କଦମ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି। ତା’ର କୌଣସି ଗ୍ୟାଙ୍ଗ ସହିତ କିଛି ସମ୍ପର୍କ ନାହିଁ। କୌଣସି ଗ୍ୟାଙ୍ଗ ଏହି ଆକ୍ରମଣ ଘଟାଇ ନାହାନ୍ତି। ସୈଫ ମଧ୍ୟ ତାଙ୍କୁ କୌଣସି ପ୍ରକାର ଧମକ ଦିଆଯାଇଥିବା ସମ୍ପର୍କରେ ପୁଲିସକୁ ଜଣାଇନାହାନ୍ତି। ଆକ୍ରମଣ ପଛରେ ଚୋରି ଏକମାତ୍ର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ସୈଫ ସୁରକ୍ଷା ପାଇଁ ଗୃହ ବିଭାଗକୁ କେବେ ଅନୁରୋଧ କରିନାହାନ୍ତି। ସେ ଯଦି ସୁରକ୍ଷା ଲୋଡ଼ିଥାଆନ୍ତେ, ତେବେ ଆମେ ସେ ଦିଗରେ ପଦକ୍ଷେପ ନେଇଥାଆନ୍ତୁ।
ସୂଚନାଯୋଗ୍ୟ, ମୁମ୍ବଇ ପୁଲିସ ଏହି ଘଟଣାରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ତେବେ ସେହି ବ୍ୟକ୍ତି ଜଣଙ୍କ ପରିଚୟ ପୁଲିସ ଜାଣିବା ପରେ ସେ ଆକ୍ରମଣକାରୀ ନୁହନ୍ତି ବୋଲି ସ୍ପଷ୍ଟ ହେବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା।



