www.samajalive.in
Monday, December 15, 2025
15.1 C
Bhubaneswar

ଦିଲ୍ଲୀ ପହଞ୍ଚିବ ପଲ୍ଲୀର ସ୍ବର ! ଫୋନ ସେବା ଅପହଞ୍ଚ, ରେଳ ସେବା ସ୍ବପ୍ନ

କୋରାପୁଟ : ଆଦିଲ୍ଲୀରେ ଶୁଭିବ କି ଅପହଞ୍ଚ ମାଳଭୂମିର ସ୍ବର । ଏଭଳି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। କୋରାପୁଟ ଓ ନବରଙ୍ଗପୁର ଦୁଇଟି ସଂସଦୀୟ କ୍ଷେତ୍ରରେ ଏବେବି ଶତାଧିକ ପଞ୍ଚାୟତରେ ଫୋନ ସେବା ଅପହଞ୍ଚ। ନବରଙ୍ଗପୁର ଓ ମାଲକନାଗିରି ଜିଲାକୁ ଛୁଇଁ ପାରିନାହିଁ ରେଳ ସେବା । ରାୟଗଡ଼ା ଓ କୋରାପୁଟ ଜିଲାରେ ୧୨୦ ପଞ୍ଚାୟତ ଏବଂ ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ଶତାଧିକ ପଞ୍ଚାୟତରେ ଆଦୌ ଟେଲିଫୋନ ସେବା ଉପଲବ୍ଧ ହୋଇପାରିନାହିଁ। ଦିନେ ଯେଉଁସବୁ ଅଞ୍ଚଳରେ ପୁଳାପୁଳା ମୋବାଇଲ ଟାୱାର ଉଡ଼ାଇ ମାଓବାଦୀ ଆତଙ୍କ ସୃଷ୍ଟି କରିଥିଲେ ଆଜି ସେହିସବୁ ଅଞ୍ଚଳରେ ଯଦିଓ ମାଓବାଦୀଙ୍କ ଉପସ୍ଥିତି ନାହିଁ, ତଥାପି ଲୋକେ ସାମାନ୍ୟ ମୋବାଇଲ ସେବା ପାଇଁ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି।
କରୋନା କାଳରେ ଅନଲାଇନ ପାଠପଢ଼ାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବାବେଳେ ମାଳଭୂମିର ଅପହଞ୍ଚ ନେଟୱର୍କ ବହି ବସ୍ତାନିରେ ଏକ ପ୍ରକାର ଡୋରି ବାନ୍ଧି ଦେଇଛି। ବିଦ୍ୟାଳୟ ବନ୍ଦ ହେବା ପରେ ଅନେକ ପିଲା ବସ୍ତାନିରେ ଡୋରି ବାନ୍ଧି ଜଙ୍ଗଲରେ ସମୟ ବିତାଉଛି ତ କିଏ ବାପା,ମା’ ସହ ବିଲବାଡ଼ିରେ କାମ କରୁଛି। କିଏ ଅସହାୟ ବାପା,ମା’ଙ୍କ ସାହାରା ପାଲଟି କୁଲି ମଜୁରି ଖଟୁଥିବାବେଳେ କିଏ ଦାଦନ ଶ୍ରମିକ ସାଜିଲାଣି। ଗତ ଦିନରେ ଦାଦନ ଖଟିବାକୁ ଆନ୍ଧ୍ରର ଏକ ଚିଙ୍ଗୁଡ଼ି କାରଖାନାକୁ ଯାଇଥିବା ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳର ୪ଜଣ ଓ ଗଜପତି ଜିଲାର ଜଣେ ପିଲା ରାତି ଅଧରେ ଜୀବନ୍ତ ଜଳିଯିବା ଘଟଣା ଏବେ ବି ଜନମାନସରୁ ଲିଭି ନାହିଁ। ଗତକାଲି ଅନଲାଇନ ପାଠପଢ଼ା ପାଇଁ ପାହାଡ଼ ଉପରେ ଚଢ଼ିଥିବା ଜଣେ ଛାତ୍ର ଖସିପଡ଼ି ଜୀବନ ହରାଇବା ଘଟଣା ସରକାରୀ ବିଧିବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦେଶ କରୁଛି । କେବଳ ସେତିକି ନୁହେଁ ଗଜପତି ଜିଲାର ଦୟାରେ ରାୟଗଡ଼ାର ଅପହଞ୍ଚ ଇଲାକାରେ ବିଦ୍ୟୁତ ସେବା ପହଞ୍ଚିବା, କର୍ତ୍ତୃପକ୍ଷ ସେବା ବିଚ୍ଛିନ୍ନ କରିବା ପରେ ଲୋକେ ଡିବିରି ଜାଳି ରହିବା ସାଙ୍ଗକୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁଥିରେ ଦୁର୍ବଳ ଥିବା ଏହିସବୁ ଜିଲାବାସୀଙ୍କୁ ନ୍ୟାୟ ଦେବାରେ ଲୋକ ପ୍ରତିନିଧି ଓ ପ୍ରଶାସନ ବିଫଳ ହୋଇଥିବା କେତେକ ମତ ଦିଅନ୍ତି । ଭୋଟ ବେଳେ ପାଣି ଡେଇଁ, ଚାଲି ଚାଲି ପାହାଡ଼ ଚଢ଼ି ଭୋଟରଙ୍କ ଦ୍ବାରରେ ପହଞ୍ଚୁଥିବା ନେତା ଭୋଟ ହାତେଇବା ପରେ ସେସବୁ ଅଞ୍ଚଳ କଥା ଭୁଲିଯାଉଥିବା ଅଭିଯୋଗ ହେଉଛି।
ସେହିପରି ମାଳଭୂମିର ନବରଙ୍ଗପୁର ଓ ମାଲକାନଗିରି ଜିଲାବାସୀ ଆଜି ବି ସରକାରୀ କାନ୍ଥ ବାଡ଼ ଓ ବିଦ୍ୟାଳୟ କାନ୍ଥରେ ରେଳ ଓ ବିମାନ ଚିତ୍ର ଦେଖୁଥିଲେ ହେଁ ରେଳ ସେବା ଅପହଞ୍ଚ ହୋଇ ରହିଛି । କୋରାପୁଟ ଜିଲାରୁ ରାଜଧାନୀ ପର୍ଯ୍ୟନ୍ତ ସକାଳ ବେଳା ରେଳ ଚଳାଚଳ ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଥିଲେ ହେଁ ଫଳପ୍ରଦ ହୋଇପାରିନାହିଁ। ରାୟଗଡ଼ା ଜିଲାର ଗୁଣପୁର-ଥେରୁବାଲି ଦୋହରିକରଣ ପ୍ରକଳ୍ପ ବର୍ଷ ବର୍ଷ ଧରି ଅଟକି ରହିଛି। ପଲ୍ଲୀର ଗରିବ ଆଦିବାସୀଙ୍କ ସ୍ବର ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିପାରୁ ନ ଥିବାରୁ ଏବେବି ଏସବୁ ଅଞ୍ଚଳର ଲକ୍ଷଲକ୍ଷ ଜନତା ବିଭିନ୍ନ ସୁବିଧାରୁ ବଞ୍ଚିତ। ଏଭଳି ସମୟରେ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଳଭୂମିକୁ ଆସନ୍ତାକାଲି(ଶୁକ୍ରବାର )ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକ ସରକାରୀ କାର୍ଯ୍ୟକ୍ରମରେ ମାଲକାନଗିରି ଆସୁଛନ୍ତି। ସମସ୍ୟାର ପାହାଡ଼ ଭିତରେ ଲୁଚି ରହିଥିବା ଏ ଅଞ୍ଚଳବାସୀ ଆଖିରେ ଆଖିଏ ସ୍ବପ୍ନ ଓ ଅନେକ ଆଶା ନେଇ ଉଭୟଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories