କେବେ ନିର୍ମାଣ ହେବ ଯାତ୍ରୀ ବିଶ୍ରାମାଗାର ? ଅନୁଦାନ ମଞ୍ଜୁର ସତ୍ତ୍ବେ ଆରମ୍ଭ ହେଉନି କାମ

ବାଉଁଶୁଣୀ : ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଛକଠାରେ ପ୍ରସ୍ତାବିତ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲାନି । ଗତ ଦୁଇ ମାସରୁ ଅଧିକ ସମୟ ହେଲା ଛକ ନିକଟରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । କଣ୍ଟାମାଳ ବିଧାୟକ ମହୀଧର ରଣା ଉକ୍ତ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ମଧ୍ୟ ମଞ୍ଜୁର କରାଇଛନ୍ତି । କିନ୍ତୁ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି ।

ଯାତ୍ରୀ ବିଶ୍ରାମାଗାର ନିର୍ମାଣ ଆରମ୍ଭ ହୋଇନଥିବା ହେତୁ କେବଳ ବାଉଁଶୁଣୀ ନୁହେଁ, ଆଖ ପାଖ ଗ୍ରାମ ପଞ୍ଚାୟତର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।  ପ୍ରସ୍ତାବିତ ଯାତ୍ରୀ ବିଶ୍ରାମାଗାର ସ୍ଥାନରେ ପୂର୍ବରୁ ବାଉଁଶୁଣୀ ଉପ ଡାକ ଘର କାମ କରୁଥିଲା । ସେହି ପୁରୁଣା ଘରକୁ ଭଙ୍ଗା ଯାଇଥିବାବେଳେ ପୁରୁଣା ଘରର ଇଟା, କାଠ କଡ଼ି ଓ ଆଜବେଷ୍ଟସ୍ କୁଆଡେ ଗଲା ବୋଲି ଆଲୋଚନା ହେଉଛି । ଆଗକୁ ଖରା ଦିନ ଆସୁଥିବାବେଳେ ବାଉଁଶୁଣୀ ଛକରେ ଛାଇ ତଳେ ଠିଆ ହେବା ପାଇଁ କୌଣସି ସର୍ବସାଧାରଣ ସ୍ଥାନ ନାହିଁ । ଲୋକେ ଦୋକାନ ବାରଣ୍ଡାରେ କିମ୍ବା ଖରାରେ ଠିଆ ହୋଇ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବସ୍ ଅପେକ୍ଷାରେ ରହିଥାଆନ୍ତି । ତେଣୁ ତୁରନ୍ତ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଉଁଶୁଣୀବାସୀ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।

Comments are closed.