ନୀତୀଶଙ୍କୁ ମହାମେଣ୍ଟରେ ସାମିଲ ହେବାକୁ କଂଗ୍ରେସର ନିମନ୍ତ୍ରଣ
ପାଟନା : ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିରୋଧୀ ମହାମେଣ୍ଟରେ ସାମିଲ ହେବାକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ କଂଗ୍ରେସ ଆମନ୍ତ୍ରଣ କରିଛି। ବିହାରରେ ଆସନ ଭାଗବଣ୍ଟାକୁ ନେଇ ଏନ୍ଡିଏ ମଧ୍ୟରେ ଲାଗିରହିଥିବା ଛକାପଞ୍ଝା ମଧ୍ୟରେ କଂଗ୍ରେସର ଏଭଳି ନିମନ୍ତ୍ରଣକୁ ରାଜନୈତିକ ସମୀକ୍ଷକମାନେ ଗୁରୁତ୍ୱର ସହ ଦେଖୁଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ନୀତୀଶ ବିଜେପିର ହାତ ଛାଡ଼ିଲେ ତାଙ୍କୁ ମହାମେଣ୍ଟରେ ସାମିଲ କରିବାକୁ ବିଚାର କରାଯିବ। ବିହାରରେ କଂଗ୍ରେସ ପ୍ରଭାରୀ ଶକ୍ତି ସଂହ ଗୋହିଲ ରବିବାର ରାମବିଳାସ ପାସୱାନ ଏବଂ ଉପନ୍ଦ୍ରେ କୁଶୱାହାଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ମୋଦୀ ସରକାର ପଛୁଆବର୍ଗ ଏବଂ ଦଳିତ ବିରୋଧୀ। ତେଣୁ ପଛୁଆବର୍ଗ ଏବଂ ଦଳିତଙ୍କୁ ନେଇ ରାଜନୀତି କରୁଥିବା ନେତାମାନଙ୍କ ପାଖରେ ବିଜେପି ହାତ ଛାଡ଼ିବା ବିନା ଅନ୍ୟ କୌଣସି ବିକଳ୍ପ ନାହିଁ। ଏହାସହ ଗୋହିଲ କହିଛନ୍ତି ଯେ ବିଜେପି ବିରୋଧରେ ଜାତୀୟସ୍ତରରେ ଗଠନ ହେଉଥିବା ମହାମେଣ୍ଟର ନେତୃତ୍ୱ କଂଗ୍ରେସ ନେବ। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ମହାମେଣ୍ଟ ନରେନ୍ଦ୍ର ମୋଦୀଙ୍କୁ ହରାଇବ। ନୀତୀଶ କୁମାର ଏବେ ଏକଛତ୍ରବାଦୀ ବିଜେପି ସହ ଅଛନ୍ତି। କେଉଁ ବାଧ୍ୟତାରୁ ସେ ବିଜେପି ସହ ଅଛନ୍ତି ଆମକୁ ଜଣାନାହିଁ। କିନ୍ତୁ ନୀତୀଶ କୁମାର ମହାମେଣ୍ଟରେ ସାମିଲ ହେବାକୁ ଚାହିଁଲେ ସହଯୋଗୀ ଦଳ ଏହାର ବିଚାର କରିବେ। କିଛି ଦିନ ତଳେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ ଯେ ନୀତୀଶ କୁମାରଙ୍କ ପାଇଁ ମହାମେଣ୍ଟର ଫାଟକ ବନ୍ଦ ହୋଇଯାଇଛି। ଏବେ କଂଗ୍ରେସର ଏପରି ଆଭିମୁଖ୍ୟ ମହାମେଣ୍ଟରେ ଫାଟ୍ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।