କଟକ: ଚାହୁଁ ଚାହୁଁ ପଣ୍ଡିତ ଶ୍ରୀ ନିରଞ୍ଜନ ରଥଙ୍କ ଅବର୍ତ୍ତମାନକୁ ୧୧ ଦିନ ପୂରିଗଲା। ଆଜି ତାଙ୍କର ଦ୍ବାଦଶାହ। ଲୋକସେବକ ମଣ୍ଡଳ ଓ ‘ସମାଜ’ ପରିବାରର ସେ ଥିଲେ ଜଣେ ବରିଷ୍ଠ ବ୍ୟକ୍ତି। ବିଶେଷକରି ତାଙ୍କ କର୍ମ ପ୍ରବଣତା ଓ ସକ୍ରିୟ କାର୍ଯ୍ୟ ଲୋକସେବକ ମଣ୍ଡଳ ତଥା ‘ସମାଜ’ ପାଇଁ ସ୍ମରଣୀୟ ରହିବ। ମାତ୍ର ଅଢେଇ ମାସ ତଳେ ତାଙ୍କୁ ଦ୍ବିତୀୟ ଥର ପାଇଁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ କରି ଗୁରୁଦାୟିତ୍ବ ଦେଇଥିଲୁ। ଆଶା ଥିଲା, ପୂର୍ବବତ୍ ପୁଣି ସେ ନିଜ କର୍ତ୍ତବ୍ୟ ଓ ଦାୟିତ୍ବକୁ ଠିକ୍ ସମ୍ପାଦନ କରିବେ। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। କେହି କିଛି ବୁଝିବା ପୂର୍ବରୁ ତାଙ୍କର ହଠାତ୍ ଦେହାବସାନ ଘଟିଲା।
କାଳର ଗତି ବଡ଼ ବିଚିତ୍ର। ବ୍ୟକ୍ତି ସତ୍ତାରେ ମୃତ୍ୟୁ ଅବଧାରିତ। ସେ ପୂର୍ବରୁ ଲୋକସେବକ ମଣ୍ଡଳର ଉପସଭାପତି ଓ କୋଷାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ। ଏପରିକି ଲୋକସେବକ ମଣ୍ଡଳ ଓ ‘ସମାଜ’ ପରିଚାଳିତ ଆଠଗଡ଼ର ମାଧପୁରପୁରସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ(ଜିମ୍ସାର) ଓ ରିଲିଫ କମିଟିର ଅଧ୍ୟକ୍ଷ ଭଳି ଗୁରୁଦାୟିତ୍ବ ଗ୍ରହଣ କରି ସେବାମୂଳକ କାର୍ଯ୍ୟକୁ ଆଗେଇ ନେଇଥିଲେ। ଏକ ସନ୍ଧିକ୍ଷଣରେ ତାଙ୍କୁ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଦାୟିତ୍ବ ଦିଆଯିବା ସହ କିଛି ମାସ ପାଇଁ ‘ସମାଜ’ ସମ୍ପାଦକ ଭଳି ଗୁରୁତ୍ବପୂର୍ଣ୍ଣ ପଦ ଭାର ମଧ୍ୟ ମିଳିଥିଲା। ସେ ‘ସମାଜ’ର ସମ୍ପାଦନା କ୍ଷେତ୍ରରେ ମଧ୍ୟ କେତେକ ନୂତନ ପ୍ରୟୋଗ କରିଥିଲେ। ତାଙ୍କ ନିଜସ୍ବ ପ୍ରୟାସରେ ପୂର୍ବରୁ ‘ନ୍ୟାୟବତୀ’ ଭଳି ସମ୍ବାଦପତ୍ର ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଭାବେ ନିରଞ୍ଜନବାବୁଙ୍କ ସାମ୍ବାଦିକତା ଏକ ଉଚ୍ଚ ସୋପାନକୁ ଉଠିଥିଲା। ସେ ଜଣେ ସଂସ୍କୃତ ବିଦ୍ବାନ ଥିଲେ। ଏହାକୁ ସେ ଉତ୍ତରାଧିକାର ସଂସ୍କାର ସୂତ୍ରରୁ ପାଇଥିଲେ। ତାଙ୍କ ଜେଜେ କବିଚନ୍ଦ୍ର ପଣ୍ଡିତ ଭୁବନେଶ୍ବର ରଥ ଥିଲେ ଜଣେ ବିଚକ୍ଷଣ ବିଦ୍ବାନ ଓ ତାଙ୍କ ବାପା ଚନ୍ଦ୍ରଶେଖର ରଥ ମଧ୍ୟ ସୁକବି ଥିଲେ। ସଂସ୍କୃତ ଭାଷାରେ ସେ ଅନେକ କାବ୍ୟ ଲେଖିଥିଲେ। ନିରଞ୍ଜନବାବୁଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କାଳରେ ତାଙ୍କ ବିଦ୍ବତ୍ତା, ପାଣ୍ଡିତ୍ୟ ଓ ଧୀଶକ୍ତିର ପରିଚୟ ମିଳେ ।
ଲୋକସେବକ ମଣ୍ଡଳକୁ ଆସିବା ପୂର୍ବରୁ ଜଣେ ଉତ୍ତମ ସୁସଂଗଠକ ଥିଲେ ନିରଞ୍ଜନବାବୁ। ନାରୀ ଶିକ୍ଷାକୁ ଆଗକୁ ବଢ଼ାଇବା ଲାଗି ନିରଞ୍ଜନବାବୁ ଆଠଗଡ଼ର ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାର ଅନ୍ୟତମ ମୁଖ୍ୟ ବିନ୍ଧାଣି ଥିଲେ। ନିଜ ମାଟିମାଆ ପ୍ରତି ତାଙ୍କର ପ୍ରବଳ ଭଲ ପାଇବା ଥିଲା। ସେଠାକାର ଯୁବପିଢ଼ି ଆଇନଶାସ୍ତ୍ର ସଂପର୍କରେ ଅଧିକ ଜାଣନ୍ତୁ ଓ ଏହାକୁ ନେଇ ବୃତ୍ତିଗତ ଜୀବନ ଆଗକୁ ବଢ଼ାଇବା ଲକ୍ଷ୍ୟରେ ସେମାନଙ୍କ ଲାଗି ସେ ଅନ୍ୟମାନଙ୍କ ସହଯୋଗରେ ଆଠଗଡ଼ରେ ପ୍ରତିଷ୍ଠା କରିଥିଲେ ଆଇନ ମହାବିଦ୍ୟାଳୟ। ଆଜି ଦିନରେ ଏହି ଦୁଇଟି ଶିକ୍ଷାନୁଷ୍ଠାନ ହଜାର ହଜାର ପିଲାଙ୍କୁ ଶିକ୍ଷାର ଆଲୋକ ବାଣ୍ଟି ଚାଲିଛି। ଏହା ତାଙ୍କ ସାଂଗଠନିକ ଦକ୍ଷତା ଓ କ୍ଷମତାକୁ ପ୍ରତିପାଦିତ କରେ। ସମାଜର ଦୁର୍ବଳବର୍ଗଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସେ କାଦୁଆ ଆଶ୍ରମସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ପ୍ରତିଷ୍ଠାନର ପୁନରୁଦ୍ଧାର କରିଥିଲେ। ସେଠାକାର ଅନ୍ତେବାସୀଙ୍କୁ ରୋଜଗାରକ୍ଷମ ଓ ସ୍ବାବଲମ୍ବନଶୀଳ କରିବା ଲାଗି ସେମାନଙ୍କ ପାଇଁ ଅରଟରେ ସୂତା କାଟିବା ଠାରୁ ତନ୍ତରେ ଲୁଗାବୁଣା ପର୍ଯ୍ୟନ୍ତ ବ୍ୟବସ୍ଥାକୁ ପୁନର୍ବାର ଆରମ୍ଭ କରାଇଥିଲେ। ଏବେ ଏହି ପ୍ରାଚୀନ ପ୍ରତିଷ୍ଠାନ ମହିଳା ଓ ଝିଅଙ୍କୁ ସିଲେଇ ମେସିନ୍ ଉପଲବ୍ଧ କରାଇ ପ୍ରଶିକ୍ଷଣ ପ୍ରଦାନ କରୁଛି। ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଭଳି ସଂଗଠନର ସେ ଉପସଭାପତି ଭାବେ କାର୍ଯ୍ୟ କରିଥିଲେ। ବିଭିନ୍ନ ମଠ, ମନ୍ଦିର ଓ ଯୁବାନୁଷ୍ଠାନଗୁଡ଼ିକର ପରିଚାଳନା କ୍ଷେତ୍ରରେ ସକ୍ରିୟ ଭାଗୀଦାରିତା ସହ ଉତ୍ତମ ମାର୍ଗଦର୍ଶନ କରାଇବାରେ ନିରଞ୍ଜନବାବୁଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ରହିଥିଲା।
ସବୁଠୁ ବଡ଼ କଥା ହେଲା, ନିରଞ୍ଜନବାବୁ ଥିଲେ ଜଣେ ଈଶ୍ବରାନୁରାଗୀ ମଣିଷ। ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସରସ୍ବତୀ ଓ ହନୁମାନଙ୍କ ପ୍ରତି ଥିଲା ତାଙ୍କର ଅଗାଧ ଭକ୍ତି। ପ୍ରତିବର୍ଷ ବିଶ୍ବଶାନ୍ତି ଲାଗି ତାଙ୍କ ଅଞ୍ଚଳରେ ଯଜ୍ଞାନୁଷ୍ଠାନ ଓ ଧର୍ମାନୁଷ୍ଠାନ କରାଉଥିଲେ। ବିଭୁପ୍ରେମୀ ନିରଞ୍ଜନବାବୁ ଥିଲେ ଅତ୍ୟନ୍ତ ନମ୍ର ଓ ଭଦ୍ର। ତାଙ୍କ କଥାବାର୍ତ୍ତାର ଶାଳୀନତା ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ଥିଲା। ନିରଞ୍ଜନବାବୁ ଥିଲେ ଜଣେ ପରିବେଶପ୍ରେମୀ। ଜିମ୍ସାରର ପରିବେଶକୁ ସବୁଜିମାମୟ କରି ରୋଗୀଙ୍କ ଲାଗି ଉପଶମ କେନ୍ଦ୍ରର ଏକ ନିଆରା ପ୍ରୟୋଗ ସେ କରିଥିଲେ। ବହୁ ପ୍ରତିଭାର ଅଧିକାରୀ ଥିଲେ ନିରଞ୍ଜନବାବୁ। ତାଙ୍କ ସହିତ ଆମ ଉଭୟଙ୍କର ସମ୍ପର୍କ ଥିଲା ଅତି ଘନିଷ୍ଠ । ଲୋକସେବକ ମଣ୍ଡଳ ଓ ‘ସମାଜ’ର ବିଭିନ୍ନ କ୍ଷେତ୍ରରେ ତାଙ୍କ କାର୍ଯ୍ୟ ନିଶ୍ଚିତ ରୂପେ ଘଟଣାବହୁଳ ଓ ସ୍ମରଣୀୟ ରହିବ।
ଆଜି ଦ୍ବାଦଶାହ ଅବସରରେ ଏହି ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରୁଛୁ। ମହାପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଶୋକ ବିଜଡ଼ିତ ପରିବାରବର୍ଗଙ୍କୁ ଏ ଦୁଃଖଦ ମୁହୂର୍ତ୍ତର ମୁକାବିଲା ଲାଗି ଧୈର୍ଯ୍ୟ ଓ ଅସୀମ ସାହସ ପ୍ରଦାନ କରନ୍ତୁ। କରୁଣାନିଧାନଙ୍କ ନିକଟରେ ଏତିକି ପ୍ରାର୍ଥନା।



