ପଳାତକଙ୍କ ସମ୍ପତ୍ତି ବାଜ୍ୟାପ୍ତି ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

0

ନୂଆଦିଲ୍ଲୀ : ବିଜୟ ମାଲ୍ୟ, ନିରବ ମୋଦି ଏବଂ ମେହୁଲ ଚୋକସୀ ଭଳି ଫେରାର୍‌ ତଥା ପଳାତକ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଫେରାର୍‌ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ-୨୦୧୮’କୁ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦିତ କରିଛନ୍ତି । ଏହା ପୂର୍ବରୁ ଶନିବାର ଏହି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଥିଲା । କୋର୍ଟଙ୍କ ଦ୍ୱାରା ପଳାତକ ଘୋଷିତ ଅପରାଧୀଙ୍କ ନାମରେ ଦେଶରେ ଥିବା ସମ୍ପତ୍ତିକୁ ଏହି ଅଧ୍ୟାଦେଶ ବଳରେ ବାଜ୍ୟାପ୍ତି କରାଯାଇ ବିକ୍ରି କରାଯିବ । ସମ୍ପତ୍ତି ବିକ୍ରିରୁ ପ୍ରାପ୍ତ ଅର୍ଥକୁ ପ୍ରଭାବିତ ଏବଂ ଋଣ ପ୍ରଦାନକାରୀ ବ୍ୟାଙ୍କ ଓ ଆର୍ଥିକ କମ୍ପାନୀକୁ ପ୍ରଦାନ କରାଯିବ । ଏହି ଆଇନ ଦ୍ୱାରା ବିଜୟ ମାଲ୍ୟ, ନିରବ ମୋଦି ଏବଂ ମେହୁଲ ଚୋକସୀଙ୍କ ଭଳି ପଳାତକ ବହୁଳ ଭାବେ ପ୍ରଭାବିତ ହେବେ । ଗତ ବଜେଟ୍‌ ଅଧିବେଶନବେଳେ ମାର୍ଚ୍ଚ ୧୨ରେ ଲୋକସଭାରେ କେନ୍ଦ୍ର ସରକାର ଏ ସମ୍ବନ୍ଧୀୟ ବିଲ୍‌ ସଂସଦରେ ଆଗତ କରିବାକୁ ଚାହୁଁଥିଲେ; ମାତ୍ର ବିଭିନ୍ନ କାରଣରୁ ପାର୍ଲାମେଣ୍ଟ ବାରମ୍ବାର ମୁଲତବୀ ହେବା କାରଣରୁ ତାହା ସମ୍ଭବ ହୋଇ ନ ଥିଲା । ଏଭଳି ଅପରାଧୀଙ୍କର ବିଦେଶୀ ସମ୍ପତ୍ତି ବାଜ୍ୟାପ୍ତି ଲାଗି କେନ୍ଦ୍ର ସରକାର ଅନ୍ୟ ରାଷ୍ଟ୍ରଗୁଡିକ ସହିତ ବିଚାର ବିମର୍ଶ କରିବେ ବୋଲି ସୂଚନା ଦିଆଯାଇଛି।

Leave A Reply