ଅଧ କୋଟିର ଋଣ ଜାଲିଆତି, ୨ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ନୀଳଗିରି: ନୀଳଗିରି ସମବାୟ ବ୍ୟାଙ୍କରେ ଅଧକୋଟି ଟଙ୍କାର ଋଣ ଜାଲିଆତି ଘଟଣାରେ ବାଲେଶ୍ୱର ଜିଲାପାଳଙ୍କ ନିର୍ଦେଶକ୍ରମେ ୨ଜଣ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଲମ୍ବିତ କରାଯାଇଛି। ୨୦୨୧ମସିହା ଏପ୍ରିଲ ୧ତାରିଖରୁ ଅଗଷ୍ଟ ୩୧ତାରିଖ ମଧ୍ୟରେ ନୀଳଗିରି ବ୍ଲକର ନୂଆସାହି, ଜାମୁଡ଼ିହି ପ୍ରଭୃତି ଗାଁର ଏକାଧିକ ଅନୁସୂଚିତ ଉପଜାତି ଲୋକଙ୍କ ନାଁରେ ସଜନାଗଡ଼ ଲ୍ୟାମ୍ପ୍ସର ତତ୍କାଳୀନ ସମ୍ପାଦକ ମନୋଜ ମହାପାତ୍ର ଦଲାଲଙ୍କ ମାଧ୍ୟମରେ ୪୯ହଜାର ୫ଶହ ଟଙ୍କା ଲେଖାଏଁ ଋଣ ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ବିଭାଗ ପକ୍ଷରୁ ସମ୍ପୃକ୍ତ ସମ୍ପାଦକଙ୍କୁ ଗତ ନଭେମ୍ବର ମାସରେ ନିଲମ୍ବିତ କରାଯାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତିଥିବା ତତ୍କାଳୀନ ନୀଳଗିରି ସମବାୟ ବ୍ୟାଙ୍କ ଶାଖା ପରିଚାଳକ ତଥା ବର୍ତ୍ତମାନର ବସ୍ତା ଶାଖା ପରିଚାଳକ ଖଗେନ୍ଦ୍ର ନାୟକ କୌଣସି ତଦନ୍ତ ନକରି ଋଣ ଦେଇଥିଲେ। ସେହିପରି ତତ୍କାଳୀନ ନୀଳଗିରି ସମବାୟ ଶାଖାର ଆକାଉଣ୍ଟାଟ ତଥା ବର୍ତ୍ତମାନର ସୋର ଶାଖା ସହପରିଚାଳକ ବିନୟ ଭୂଷଣ ନାୟକ ମଧ୍ୟ ଏହି ଋଣ ଜାଲିଆତିରେ ସମ୍ପୃକ୍ତି ଥିବା ନେଇ ତଦନ୍ତରୁ ଜଣାପଡ଼ିଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦେଶକ୍ରମେ ବାଲେଶ୍ୱର ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ନାରାୟଣ ମଢ଼େଇ ପତ୍ରସଂଖ୍ୟା ୫୬୮ ଓ ୫୭୧ମୂଳେ ଉପରୋକ୍ତ ଦୁଇ ବ୍ୟାଙ୍କ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଯେ, ଉପରୋକ୍ତ ଅଞ୍ଚଳର ବାସନ୍ତୀ ରଣାସିଆ, ସୁଲୋଚନା ମାଣିକ, ସାବିତ୍ରୀ ରଣାସିଆ, ଲାବନ୍ୟ ରଣାସିଆ, ଭାରତୀ ରଣାସିଆ, ନିନି ନାୟକ, ମିନତି ରଣାସିଆ ପ୍ରମୁଖ ୫୦ରୁ ଅଧିକ ଅଞ୍ଚଳବାସୀ ନୋଟିସ ପାଇବା ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କୁ ଭେଟି ଦୁଃଖ ଜଣାଇଥିଲେ। ବିଧାୟକ ଶ୍ରୀ ନାୟକ ଏ ସମ୍ପର୍କରେ ତତକ୍ଷଣାତ ବାଲେଶ୍ୱର ଜିଲାପାଳ, ବାଲେଶ୍ୱର ବିବିସିସି ବ୍ୟାଙ୍କ ସମ୍ପାଦକ ଏବଂ ବିଭାଗୀୟ ଉଚ୍ଚଅଧିକାରୀଙ୍କୁ ଅବଗତ କରିବା ପରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି।

Comments are closed.