ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବିକେ ସିଂଙ୍କ ନୀଳଗିରି ଗସ୍ତ: ଏସଏନଜେ ରାଜ୍ୟ ରାଜପଥ -୧୯ର ଶିଳାନ୍ୟାସ, ୧୨୬କୋଟି ଟଙ୍କା ମଞ୍ଜୁର
ନୀଳଗିରି: କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଜୟ କୁମାର ସିଂ ଓଡ଼ିଶା ଗସ୍ତରେ ଆସିଛନ୍ତି। ଜେନେରାଲ ବିକେ ସିଂ ନୀଳଗିରି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ସିଂ ସେରଗଡ଼-ନୀଳଗିରି-ଝରଣଘାଟି(ଏସଏନଜେ) ରାଜ୍ୟ ରାଜପଥ-୧୯ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ଶ୍ରୀ ସିଂ କହିଥିଲେ ଯେ, ୯ବର୍ଷ ଭିତରେ ଭାରତବର୍ଷରେ ଗରିବି ହ୍ରାସ ହୋଇଛି। ଯେତେ ବି ବିକାଶ ହୋଇଛି ମୋଦୀ ସରକାରଙ୍କ ସମୟରେ ହିଁ ବିକାଶ ହୋଇଛି। ଏବେ ଓଡ଼ିଶା ଆମ ପାଇଁ ବହୁତ ଜରୁରୀ ପ୍ରଦେଶ ହୋଇ ପଡ଼ିଛି।
ଓଡ଼ିଶାରେ ରାସ୍ତା ନିର୍ମାଣରେ ଆମ ସରକାର ଇତିହାସ ରଚିବ। ଏସଏନଜେ ରାଜ୍ୟ ରାଜପଥ ପାଇଁ କେନ୍ଦ୍ର ତରଫରୁ ୧୨୬କୋଟି ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟ ନିର୍ମାଣାଧୀନ ରହିଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ, ବୋଧେ ଓଡ଼ିଶାର ବେଶି ଅନୁଦାନ ଏହି ରାସ୍ତାକୁ ଆସିଛି ଏବଂ ଏଥିରେ ଅଞ୍ଚଳବାସୀ ବିଶେଷଭାବେ ଉପକୃତ ହୋଇ ପାରିବେ । ଐତିହ୍ୟର ମାଟି ନୀଳଗିରିରେ ଡବଲ ଇଞ୍ଜିନ ସରକାର ଇତିହାସ ରଚିବ ବୋଲି ନୀଳଗିରି ବିଧାୟକ ସୁକାନ୍ତ ନାୟକ କହିଥିଲେ।
ସେପଟେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଭିଡ଼ିଓ ଜରିଆରେ ପରଦାରେ ବାର୍ତ୍ତା ଦେଇଥିଲେ । ଏହି ରାସ୍ତା ନିର୍ମାଣ ପାଇଁ ସେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସମସ୍ତ ଶ୍ରେୟ ଦେଇଥିଲେ । ଶ୍ରୀ ଗଡ଼କରି କହିଥିଲେ ଯେ, ସାଂସଦଙ୍କ ପ୍ରଚେଷ୍ଟା ଯୋଗୁ ଏହି ରାସ୍ତା ମାଧ୍ୟମରେ ଆଜି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସଡ଼କ ସଂଯୋଗକୁ ଅଧିକ ମଜଭୁତ କରିବାକୁ ଯାଉଛି।
Comments are closed.