ଯାଜପୁର: ଯାଜପୁର ସହରରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ତହସିଦାରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଯାଜପୁର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦେ୍ଦଶ୍ୟ ସଂପର୍କରେ ଅବଗତ କରାଇଥିଲେ। ପାରମ୍ପରିକ ରୀତି ନୀତି ଅନୁସାରେ ବିଗତ ବର୍ଷ ମାନଙ୍କରେ ଯେପରି ରଥଯାତ୍ରା ପାଳିତ ହେଉଥିଲା, ସେହିପରି ଭାବେ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ନୀତି ସମ୍ପନ୍ନ ହେବ।
ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ଦେବୀ ଶୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବେ। ଏହାର ସୁସମ୍ପାଦନ ନିମନ୍ତେ ଯାଜପୁର ପୈାର ପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତାଙ୍କୁ ଅନୁରୋଧ କରାଯାଇଥିଲା। ଊକ୍ତ ଦିନ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ସ୍ଥାନୀୟ କେବୁଲ ଅପରେଟର ମା’ ଟିଭି ଏବଂ ବିରଜା କେବୁଲ୍ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବେ। ରଥଟଣା ଦିନ ସମ୍ଭାବ୍ୟ ଗହଳିକୁ ଆଖି ଆଗରେ ରଖି ଏବଂ ଶ୍ରୀ ଜୀଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆନୁସଙ୍ଗିକ ପୋଲିସ ବ୍ୟବସ୍ଥା ସହ ଶ୍ରଦ୍ଧାଳୁମାନଙ୍କ ପାଇଁ ଆମ୍ୱୁଲାନ୍ସ ଓ ମେଡିକାଲ ଟିମ୍ ଉପସ୍ଥିତ ରହିବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରାଯାଇଛି। ଶ୍ରୀଗୁଣ୍ଡିଚା ଦିନ ଠାରୁ ବାହୁଡା ଯାତ୍ରା ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ତା ୨୯.୬.୨୨ ରିଖ ଦିନ ଶ୍ରୀ ଜିଉଙ୍କର ନେତ୍ରୋସôବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ୧ ତାରିଖ ଶ୍ରୀଗୁଣ୍ଡିଚା ଦିନ ରଥ ପ୍ରତିଷ୍ଠା, ପହଣ୍ଡି ବିଜେ ଏବଂ ରଥାରୋହଣ ବିଧି ପାଳନ କରାଯିବ। ଶ୍ରୀ ଜଗନ୍ନାଥ ଚେତନା ପରିଷଦ, ଯାଜପୁର ଏବଂ ଗୀତା ଜାଗରଣ ପରିଷଦ ଯାଜପୁର ତରଫରୁ ଉକ୍ତ ଦିନ ଭଜନ ଓ ଧାରା ବିବରଣୀ ପ୍ରଦାନ କରାଯିବ। ସେହିପରି ଜୁଲାଇ ୨ ତାରିଖ ଅପରାହ୍ନ ୨ ଘଟିକା ଠାରୁ ରଥ ଟଣା ଆରମ୍ଭ କରାଯିବ। ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଭଜନ ସଂଧ୍ୟା, ପାଲା, ଆଧ୍ୟାତ୍ମକ ନୃତ୍ୟ, ଆଦି ଜିଲ୍ଲା ସଂସ୍କୃତି ବିଭାଗ, ଜଗନ୍ନାଥ କଳା ବିକାଶ କେନ୍ଦ୍ର, ଦେବୀ ପ୍ରସାଦ ଧଳ ଓ ସାଥିଙ୍କ ଦ୍ୱାରା ପାଲା, ରୟାଲ୍ ସୋସାଇଟି କ୍ରିଏଟର୍, ଗୀତା ଜାଗରଣ ପରିଷଦ, ଅନ୍ୱେଷଣ ଥିଏଟର, ଅନନ୍ୟା ସାହିତ୍ୟ ସଂସଦ ତରଫରୁ ବିଭିନ୍ନ ସଂଧ୍ୟାରେ ପରିବେଷଣ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
୯ ତାରିଖ ଦିନ ବାହୁଡା ଯାତ୍ରା ସଂପନ୍ନ ହେବା ସଙ୍ଗେ ୧୦ ତାରିଖ ଦିନ ଶ୍ରୀ ଜିଉଙ୍କ ସିଂହାସନ ବିଜେ ନୀତି ପୂର୍ବାହ୍ନ ୯ ଘଟିକା ସମୟରେ ସମାପନ ହେବ ବୋଲି ବୈଠକରେ ନିଷ୍ପତି ନିଆ ଯାଇଥିଲା। ସର୍ବୋପରି ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ କରିବା ପାଇଁ ଯାଜପୁର ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା। ଏହି ବୈଠକରେ ଯାଜପୁର ପୈାରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ଯାଜପୁର ପୈାରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ମନ୍ଦିର ଟ୍ରଷ୍ଟର ସଦସ୍ୟ ବୃନ୍ଦ, ବରିଷ୍ଠ ନାଗରିକ, ଜଗନ୍ନାଥ ମନ୍ଦିରର ପୂଜକ ଓ ସେବାୟତ, ପୈାର ପାଳିକା, ଯାଜପୁରଙ୍କ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।



