ଆଠଗଡ଼: ସ୍ୱତନ୍ତ୍ର ଅଲିମ୍ପିକ ଭାରତର ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆସନ୍ତା ଜୁନ୍ ୨୬ତାରିଖରୁ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ବୋକାରୋ ଇସ୍ପାତ ନଗରୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରଶିକ୍ଷଣ ଶିବିରରେ ବ୍ୟାଟମିଣ୍ଟନ କ୍ରୀଡା ପାଇଁ ଆଠଗଡ଼ ଅଞ୍ଚଳରେ ସ୍ଥାପିତ ବ୍ରଜବିହାରୀ ସ୍ମାରକୀ ଟ୍ରଷ୍ଟର ଦିବ୍ୟାଙ୍ଗ କ୍ରୀଡାବିତ୍ ଯୋଗଦେବାକୁ ଯାଉଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ରଜବିହାରୀ ସ୍ମାରକୀ ଟ୍ରଷ୍ଟର ଅନ୍ତେବାସୀ କଳ୍ପନା ଜେନା ଓ ସତ୍ୟଭାମା ସାହୁ କ୍ରୀଡାବିତ୍ ଭାବେ ଏବଂ ବନଲତା ସାହୁ ଓ ବିବେକାନନ୍ଦ ମହାନ୍ତି ପ୍ରଶିକ୍ଷକ ଭାବେ ଏହି ଶିବିରରେ ଯୋଗଦେବା ପାଇଁ ମନୋନିତ ହୋଇଛନ୍ତି।
ସେହିପରି ଜୁଲାଇ ୧ତାରିଖରୁ ୬ତାରିଖ ପଣ୍ଡିଚେରୀର ରାଜୀବ ଗାନ୍ଧୀ ଆଭ୍ୟନ୍ତର କ୍ରୀଡାଙ୍ଗନରେ ଅନୁଷ୍ଠିତ ହେବାକୁ ଯାଉଥିବା ମହିଳା ଭଲିବଲ ଦଳରେ ବ୍ରଜବିହାରୀ ସ୍ମାରକୀ ଟ୍ରଷ୍ଟର ଅନ୍ତେବାସୀ ଅନୁରାଧା ଶତପଥୀ, ଜୟଶ୍ରୀ ଦାସ, ଆଠଗଡ଼ ବ୍ଲକ ଏସଏସଏର ସ୍ୱର୍ଣ୍ଣପ୍ରଭା ଦାସ, ରୂପାଲି ପ୍ରଧାନ, ସିପ୍ରା ସ୍ୱାଇଁ, ପ୍ରଭାତୀ ନାୟକ, ସରିତା ବେହେରା ପ୍ରମୁଖ ଖେଳାଳି ଭାବେ ଏବଂ ବିଆରପି ବିସ୍ମିତା ମହାନ୍ତି ଓ ମମତା ମହାନ୍ତି ପ୍ରଶିକ୍ଷକ ଭାବେ ଉକ୍ତ ଶିବିରରେ ଯୋଗଦେବା ପାଇଁ ମନୋନିତ ହୋଇଛନ୍ତି। ଏହି ଉପଲକ୍ଷେ ବ୍ରଜବିହାରୀ ମହାନ୍ତି ମାନସିକ ଅନଗ୍ରସର ସହାୟତା ଟ୍ରଷ୍ଟ ପକ୍ଷରୁ ଆଠଗଡ଼ ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ ଏହି ମନୋନିତ ଦିବ୍ୟାଙ୍ଗ କ୍ରୀଡାବିତ୍ ଓ ପ୍ରଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ନବକିଶୋର ସାହୁ ଓ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନା ଯୋଗଦେଇଥିଲେ। ଟ୍ରଷ୍ଟର ପରିଚାଳକ ବିବେକାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।



