www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରତିଟି ଶିଶୁ ଅନନ୍ତ ସମ୍ଭାବନାର ଆଧାର – ରାଜ୍ୟପାଳ

ପିପିଲି: ପ୍ରତ୍ୟେକ ଶିଶୁ ଅନନ୍ୟ। ପ୍ରତିଟି ଶିଶୁ ଅନନ୍ତ ସମ୍ଭାବନାର ଆଧାର। ଇଶ୍ୱର କାର୍ବନ କପି ତିଆରି କରନ୍ତି ନାହିଁ। ତେଣୁ କାହାକୁ ଅନୁକରଣ ନକରି ନିଜ ଭଳି ନିଜେ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ ପରାମର୍ଶ ଦେଇଛନ୍ତି। ପିପିଲି ବ୍ଲକ ଅନ୍ତର୍ଗତ ପାଣିଦୋଳ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ ମଙ୍ଗଳବାର ସଂନ୍ଧ୍ୟାରେ ଉଦ୍‌‌ଘାଟନ କରିଛନ୍ତି।

ଏହି ଅବସରରେ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ କମିଟି ପକ୍ଷରୁ ଆୟୋଜିତ ଶତବାର୍ଷିକୀ ସମାରୋହରେ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ- ନିଜର ଅର୍ନ୍ତନିହିତ ଶକ୍ତି ଓ ସାମର୍ଥକୁ ଚିହ୍ନିବା ହିଁ ପ୍ରକୃତ ଶିକ୍ଷା। ତିନୋଟି ମୁଣ୍ଡୁଳା କାଟି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରରୁ ଓଡ଼ିଶାରେ ଶିକ୍ଷା ଆରମ୍ଭ ହୁଏ। ଏହା ହେଉଛି ଆଧ୍ୟାତ୍ମିକତାର ଭିତ୍ତି। ଯାହା ଅନ୍ୟ କୌଣସି ଯାଗାରେ ପରିଲକ୍ଷିତ ହୁଏ ନାହିଁ। ଓଡ଼ିଶା ହେଉଛି ଦେବ ଭୂମି, ପୂଣ୍ୟ ଭୂମି ଓ ମୋକ୍ଷ ଭୂମି। ବ୍ରହ୍ମାଣ୍ଡରେ ଏମିତି କିଛି ନାହିଁ ଯାହା ଓଡ଼ିଶାରେ ନାହିଁ। ଓଡ଼ିଶାର ରଜପର୍ବର ଉଦାହରଣ ଦେଇ ରାଜ୍ୟପାଳ କହିଲେ ଯେ- ଆଦିଶକ୍ତି ଉପାସନାର ଏହି ଅନନ୍ୟ ପରମ୍ପରା ବିଶ୍ୱରେ ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ। ଶୈଶବ ହିଁ ଦେବତ୍ୱ। ଯେତେ ବୟସ ବଢ଼ିଲେ ମଧ୍ୟ ନିଜ ଭିତରର ଶିଶୁକୁ ସର୍ବଦା ଜୀବନ୍ତ ରଖିବାକୁ ରାଜ୍ୟପାଳ ସମସ୍ତଙ୍କୁ ପରାମର୍ଶ ଦେବାସହ ଶିଶୁ ଆଖିର ଚମକ ଓ ହସକୁ ବଜାୟ ରଖିବା ହିଁ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ। ଆମେ ସମସ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ତାନ। ଭଗବାନଙ୍କ ସୃଷ୍ଟିକୁ ସର୍ବଦା ବିକାଶ କ୍ଷେତ୍ରରେ ଉପଯୋଗ କରାଯିବା ଉଚିତ୍‌‌। ପିଲାଙ୍କୁ ସବୁବେଳେ ସ୍ୱପ୍ନ ଦେଖିବାକୁ ଦିଅନ୍ତୁ। ମଣିଷର ବିଚାର ଉପରେ କେବେବି ପ୍ରତିବନ୍ଧକ ଲାଗିବା ଉଚିତ୍‌‌ ନୁହେଁ ବୋଲି କହିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

- Advertisement -

ଅନ୍ୟତମ ଅତିଥି ଭାବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ଏବେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଦେଶରେ ଏକ ନମ୍ବର ମାନ୍ୟତା ପାଇଛି। ରାଜଧାନୀ ଭୁବନେଶ୍ୱର ଏଜୁକେସନ ହବ୍‌‌ରେ ପରିଣତ ହୋଇଛି। ବିଦ୍ୟାଳୟର ରୁପାନ୍ତରିକରଣ ଠାରୁ ଆରମ୍ଭ କରି ଶିକ୍ଷା ଡାଏରୀର ପ୍ରଚଳନ ଆଦି ବିଭିନ୍ନ ଉଦାହରଣ ଦେଇ ଶିକ୍ଷାର ବିକାଶ କ୍ଷେତ୍ରରେ ଓଡ଼ିଶା ଏବେ ବହୁ ଆଗରେ ବୋଲି ସେ ପ୍ରକାଶ କରିଥିଲେ। ସମୟର ଆହ୍ୱାନକୁ ଗ୍ରହଣ କରି ପିଲାଙ୍କୁ ଭଲ ମଣିଷ କରି ଗଢିତୋଳିବା ଦିଗରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀଦାଶ ପ୍ରକାଶ କରିଥିଲେ। ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏକ କ୍ଷୁଦ୍ର ଗଳ୍ପ ମାଧ୍ୟମରେ ନିଜର ଦୃଢ ଇଚ୍ଛାଶକ୍ତି, ନିଷ୍ଠା ଓ ଉଦ୍ୟମ ଜାରି ରହିଲେ ସଫଳତା ହାସଲ କରିହେବ ବୋଲି କହିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଶତବାର୍ଷିକୀ ବିଶେଷାଙ୍କକୁ ରାଜ୍ୟପାଳ ଉନ୍ମୋଚନ କରିବା ସହ ବିଦ୍ୟାଳୟର କେତେକ ପ୍ରାକ୍ତନ ଶିକ୍ଷକ, ଶିକ୍ଷୟିତ୍ରୀ, ମେଧାବୀ ଛାତ୍ରଛାତ୍ରୀ ଓ ପୁରାତନ କୃତୀ ଛାତ୍ରଛାତ୍ରୀଙ୍କ ଗହଣରେ ଫଟୋ ଉଠାଇଥିଲେ।

ବିଦ୍ୟାଳୟର ଶତବାର୍ଷିକୀ ସମାରୋହ କମିଟିର ସଭାପତି ଅନାଦି ଚରଣ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ଘନଶ୍ୟାମ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷାବିତ୍‌‌ ଜ୍ଞାନରଞ୍ଜନ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ ତଥା ପୁରାତନ ଛାତ୍ର ଅଜୟ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ନାୟକ, ସମାଜସେବୀ ଆର୍ତ୍ତବନ୍ଧୁ ସାମନ୍ତରାୟ, ତପନ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories