ବୌଦ୍ଧ: ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଟାଉନହଲଠାରେ ଜିଲାସ୍ତରୀୟ ପୋଷଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଜିଲ୍ଲାରେ ମାଣ୍ଡିଆର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇଁ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱାରୋପ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ଏକ ଖାଦ୍ୟ ପ୍ରଦର୍ଶନୀରେ ମିଲେଟ୍କୁ ଲୋକାଭିମୁଖୀ କରିବା ପାଇଁ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ ଖାଦ୍ୟ ପ୍ରଦର୍ଶନୀ ବୁଲି ଦେଖିବା ସହିତ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପାଇଁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ସରକାରଙ୍କ ନବଜାତକ ଶିଶୁମାନଙ୍କ ଅନ୍ନପ୍ରାସନ୍ନ,ଗର୍ଭବତୀ ମହିଳାଙ୍କ ସୁଆଦିଆ ଉତ୍ସବ ଆଦି ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ବୌଦ୍ଧ ସିଡିପିଓ ମିନତୀ ଦେଓ ପୋଷଣ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ ସଂପର୍କରେ ଆଲୋକପାତ କରିଥିଲେ। ସେହପରି କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢ଼ୀ ,ବାଲ୍ୟ ବିବାହ ନିରାକରଣ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ଉତ୍ସବରେ ଉପସ୍ଥିତ ଥିଲେ। ୩ଟି ଆଇସିଡିଏସ ପକ୍ଷରୁ ଏହି ପୋଷଣ ପଖୱାଡା ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଶନୀ କରାଯାଇଥିଲା।
Popular Categories



