କେନ୍ଦୁଝରଗଡ଼଼: ସରକାରୀ ଶିକ୍ଷାନୁଷ୍ଠାନ ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ କେନ୍ଦୁଝରରେ ଶିକ୍ଷାଦାନ ଚାଲିଥିବା ସମୟରେ ମଙ୍ଗଳବାର ଶାସକ ବିଜେଡି ଓ ଜିଲା ପ୍ରଶାସନ ପକ୍ଷରୁ ଯେଭଳି ଭାବେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ କରାଗଲା ତାହାକୁ ନେଇ ଜିଲା ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଶିକ୍ଷାଦାନ ଚାଲିଥିବା ସମୟରେ ଯେଭଳି ଭାବେ ଡାକବାଜି ଯନ୍ତ୍ର ବ୍ୟବହାର ସହ ନାଚ ଗୀତ ମାଧ୍ୟମରେ ବିଦ୍ୟାଳୟ ପରିସରରେ ଚରମ ବିଶୃଙ୍ଖଳା ହେବାଦ୍ୱାରା ଅଧ୍ୟୟନରତ ଛାତ୍ରଛାତ୍ରୀ ଏକପ୍ରକାର ଭୟଭୀତ ଅବସ୍ଥାରେ ଥିବା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଅଭିଯୋଗ କରିଛନ୍ତି। ରାଜ୍ୟର ଅନ୍ୟତମ ଏହି ପୁରାତନ ଶିକ୍ଷାନୁଷ୍ଠାନର ଉନ୍ନତି ପରିବର୍ତ୍ତେ ଯେଭଳି ଭାବେ ସରକାରୀ କାର୍ଯ୍ୟକ୍ରମ ସାଙ୍ଗକୁ ରାଜନୈତିକ କାର୍ଯ୍ୟକ୍ରମ ଶିକ୍ଷାଦାନ ସମୟରେ ଆୟୋଜନ କରାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଧୀର ଅଭିଯୋଗ କରିଛନ୍ତି।
ଶିକ୍ଷାଦାନ ଚାଲିଥିବା ବେଳେ ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ବେଆଇନ ସଭା ଆୟୋଜନ ସହ ଡାକବାଜି ଯନ୍ତ୍ର ବ୍ୟବହାର ଓ ନାଚ ଗୀତ ପାଇଁ କିଏ ଅନୁମତି ଦେଲା ତାହାର ନିରପେକ୍ଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲା ଯୁବ କଂଗ୍ରେସ। ଜିଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଧୀରଙ୍କ ନେତୃତ୍ୱରେ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ପିସିସି ସମ୍ପାଦକ ସଂଗ୍ରାମ ଦାସ, କଂଗ୍ରେସ ନେତା ବିନୋଦ ବିହାରୀ ନାୟକ, ଛାତ୍ର ନେତା ଆଶିଷ କୁମାର ପାତ୍ର, ରୁଦ୍ର ନାରାୟଣ ସାହୁ, ସଂଗ୍ରାମ ବେହେରା, ମାନସ ବେହେରା, ଆକାଶ ବେହେରା, ଏସ୍. ଶକ୍ତିସ୍ୱରୂପ, ଦେବସୁଇ ନାରାୟଣ ସିଂ, ଶୁଭଙ୍କର ପଟ୍ଟନାୟକ, ସ୍ୱରୂପ ସେଠୀ ପ୍ରମୁଖ ଅତିରିକ୍ତ ଜିଲାପାଳ ଯଦୁମଣୀ ମହଲାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।



