ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ଭଗପଶି ଗ୍ରାମରେ ଗତ କାଲି ଖୁଦୁରୁକୁଣୀ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍କଳୀୟ ନୈବାଣିଜ୍ୟ ସଂସ୍କୃତିକୁ ବଜାୟ ରଖି ଏଠାରେ କମିଟି ପକ୍ଷରୁ ବୋଇତ ତିଆରି କରି ନିକଟସ୍ଥ ପୁଷ୍କରିଣୀରେ କୁମାରୀ ଝିଅ ମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ଉତ୍କଳୀୟ ସଂସ୍କୃତିର ପ୍ରମୁଖ ଭୂମିକା ବହନ କରୁଥିବା ଖୁଦୁରୁକୁଣୀ ଓଷା ଓ ବୋଇତ ବନ୍ଦାଣ ସମ୍ପର୍କରେ ଅଭିଭାଷଣ ଦେଇଥିଲେ। ଏହା ସହ କାର୍ଯ୍ୟକ୍ରମରେ ଚନ୍ଦନ ନାଏକ, ମନ ନାଏକ, ବୁଲୁ ନାଏକ, ରଣଜିତ ନାଏକ, ବିଜୟ କୁମାର ନାଏକ ପ୍ରମୁଖ ଯୋଗଦେଇ କୁମାରୀ ଝିଅ ମାନଙ୍କୁ ବୋଇତ ବନ୍ଦାଣ ପାଇଁ ଉତ୍ସାହିତ କରିଥିଲେ। ଏଠାରେ ବିଧାୟକ ଶ୍ରୀ ନାଏକ ବୋଇତ ବିହାରର ମଜା ଉଠାଇଥିଲେ। ସେହିପରି ଏଠାରେ ଦେହୁରୀ ଭାବେ ଦୁର୍ଯ୍ୟୋଧନ ନାଏକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରାମର ଯଶୋଦା ନାଏକ, ପୂଜା ନାଏକ, ଗାନ୍ଧାରୀ ନାଏକ ଓ ଦିପା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତଅପୋଇ ଭୂମିକାରେ ଆଦ୍ୟାଶା ପ୍ରିୟଦର୍ଶନୀ ନାଏକ କାର୍ଯ୍ୟକ୍ରମରେ ସାମିଲ ଥିଲେ।
Popular Categories



