କେନ୍ଦୁଝରଗଡ଼଼: ଝୁମ୍ପୁରା ବ୍ଲକ ଅଧିନ ବାଲିବନ୍ଧ ପଞ୍ଚାୟତ ମୁଖ୍ୟାଳୟରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହ ପୁଲିସ ଫାଣ୍ଡି ପ୍ରତିଷ୍ଠା ଦାବିରେ ଅଞ୍ଚଳବାସୀ ମଙ୍ଗଳବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଝୁମ୍ପୁରା ବ୍ଲକ ଅଧିନରେ ୧୪ଟି ପଞ୍ଚାୟତ ଝୁମ୍ପୁରା ଥାନା ଅଞ୍ଚଳରେ ଥିବାବେଳେ ଝୁମ୍ପୁରା ଠାରୁ ନାରଦପୁର ମଧ୍ୟରେ କୌଣସି ପୁଲିସ ସହାୟତା କେନ୍ଦ୍ର ନଥିବାରୁ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବେଶ୍ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ବାଲିବନ୍ଧ ସମେତ ନିକଟସ୍ଥ ଖେଣ୍ଡରା, କୁଟୁଗାଁ, ଖୁଣ୍ଟାପଡ଼ା, ନିଶ୍ଚିନ୍ତପୁର, ନହବେଡା ଆଦି ପଞ୍ଚାୟତ ଅଞ୍ଚଳରେ ଦେଶୀ ଓ ଚୋରା ବିଦେଶୀ ମଦର ବହୁଳ କାରବାର ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଛୋଟବଡ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନୀ ହେଉଛି। ସେହିଭଳି ଉକ୍ତ ଅଞ୍ଚଳରେ ଥିବା ଅରଡେଇ ନଦୀରୁ ଚୋରାରେ ଯୋଡା, ବଡବିଲ, କାଳିମାଟି ଓ ବାମେବାରୀ ଅଞ୍ଚଳକୁ ଦୈନିକ ଶହ ଶହ ବେଆଇନ ବାଲି ବୋଝେଇ ହୋଇ ପରିବହନ ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ୱ ହାନୀ ସହ ମାଫିଆଙ୍କ ଦୌରାତ୍ମ୍ୟ ବେଶ୍ ବୃଦ୍ଧି ପାଇବାରେ ଲାଗିଛି। ଉକ୍ତ ଅଞ୍ଚଳରେ ଶାନ୍ତି ସହାବସ୍ଥାନ ବଜୟା ରଖିବା ସହ ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାକୁ ହେଲେ ବାଲିବନ୍ଧ ଠାରେ ତୁରନ୍ତ ଏକ ପୁଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ସେହିଭଳି ବାଲିବନ୍ଧ ସମେତ ନିକଟସ୍ଥ ପଞ୍ଚାୟତବାସୀ ସ୍ୱାସ୍ଥ୍ୟସେବା ପାଇଁ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଥିବାରୁ ଅଞ୍ଚଳବାସୀଙ୍କ ହାତପାହାନ୍ତାରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ହେଲେ ବାଲିବନ୍ଧ ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଦିଗାମ୍ବର ପ୍ରଧାନ, ଇଶ୍ୱର ମହାରଣା, ଅନୀଲ ପ୍ରଧାନ, ସୁଶାନ୍ତ ପ୍ରଧାନ ପ୍ରମୁଖ ଜିଲାପାଳଙ୍କୁ ଭେଟି ଗୁହାରୀ କରିଛନ୍ତି।
Popular Categories



