ପାଟଣା: ଭାଦ୍ରବ ମାସ ଏକାଦଶୀ ତିଥିରେ କୁଡୁମି ସମ୍ପ୍ରଦାୟ କୃଷି ସଭ୍ୟତାର ଅୟମାରମ୍ଭ କାଳରୁ ପାଳନ କରି ଆସୁଛି କୃଷି ଭିତ୍ତିକ ଏବଂ ପ୍ରକୃତି ପୂଜାର ନିଦର୍ଶନ କରମ୍ ପରବ। କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଖୁବ୍ ଧୂମଧାମରେ କରମ ପରବ ପାଳିତ ହୋଇଥିଲା। ପ୍ରତି ଘରେ ପିଠା ପଣାର ଆସର ଜମି ଥିଲା। ଗାଁରେ କୁଆଁରୀ ଅବିବାହିତ ଝିଅ ପୁଷ୍କରିଣୀ ଓ ନଦୀରୁ ବାଲି ଉଠାଇ ଏକ ଧାନ ଗଛ ରଖି ଓ ପାଞ୍ଚ ପ୍ରକାର ର ଶସ୍ୟ ଯଥା ମକା, ବିରି, କୋଳଥ, ମୁଗ, ଖସା ଆଦି ଦେଇ ଜାୱା ପ୍ରସ୍ତୁତ କରି ଘରକୁ ଆଣିଥିଲେ। କେହି କେହି ତିନି, ପାଞ୍ଚ ଓ ସାତ ଦିନ ପୂର୍ବରୁ ଜାୱା ପ୍ରସ୍ତୁତ କରିଥିଲେ। ପ୍ରତିଦିନ ସନ୍ଧ୍ୟାରେ ମହିଳା ମାନଙ୍କ ଦ୍ଵାରା ଜାୱା ବେହ୍ଲା ବା ପରିକ୍ରମା କରାଯାଇଥିଲା। କରମ ଦିନ ସନ୍ଧ୍ୟାରେ କରମ ବୃକ୍ଷର ଡାଳକୁ ଗ୍ରାମବାସୀ କୁଡୁମି ସମ୍ପ୍ରଦାୟର ପୂଜକ ବା ଦେହୁରୀଙ୍କ ଦ୍ଵାରା ବୃକ୍ଷ ମୂଳେ ପୂଜାର୍ଚ୍ଚନା କରି ମାଦଳ ଓ ନାଗରା ଆଦିର ବାଦ୍ୟ ଯନ୍ତ୍ର ବଜାଇ କୁଡମାଲି ଭାଷା ର କରମ୍ ଲୋକ ଗୀତ ଗାଇ ଏକ ସୁସଜ୍ଜିତ ଶୋଭାଯାତ୍ରା ରେ ଘରକୁ ଆଣିଥିଲେ। ଦେହୁରୀ ଓ ମୂରବୀ ଲୋକଙ୍କର ପାଦ ଧୋଇ ଘରକୁ ପ୍ରବେଶ କରି ଘର ଅଗଣା ରେ କରମ୍ ବୃକ୍ଷ ର ଡାଳ କୁ ପୋତି ନିଜ ସମ୍ପ୍ରଦାୟ ର ପୂଜକ ଦ୍ଵାରା କରମ୍ ରାଜା ଙ୍କ ର କୁଡମାଲି ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା। କୁଆଁରୀ ଝିଅ ଓ ନବ ବିବାହିତା ବୋହୂ ମାନେ କରମତୀ ହୋଇ କରମ୍ ରାଜାଙ୍କ ଚତୁଃପାର୍ଶ୍ଵରେ ବସି ଆରାଧନା କରି କରମ୍ ରାଜାଙ୍କ ଆଶିଷ ଭିକ୍ଷା କରିଥିଲେ। ଏହି ପରବ ରେ କୁଡୁମି ନବ ବିବାହିତ ଜ୍ବାଇଁ ଙ୍କୁ ଶ୍ୱଶୁର ଘରେ ଜୋତା, ଛତା, ନୂତନ ପାରମ୍ପରିକ ବସ୍ତ୍ର ପ୍ରଦାନ କରାଯାଇଥାଏ। ଏହାକୁ କରମ୍ ଖାଣ୍ଡି କୁହାଯାଇଥାଏ। କୃଷି ସଭ୍ୟତାର ଅୟମାରମ୍ଭ କାଳ ର ଲୋକ କଥା “କରମୁ ଓ ଧରମୁ” ଉପରେ ପର୍ଯ୍ୟବେସିତ କାହାଣୀ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ କଥାକାର ଶୁଣାଇଥିଲେ। ରାତ୍ରୀ ସାରା ବିଭିନ୍ନ ଗ୍ରାମରୁ ଆସିଥିବା ଲୋକ ମାନେ ମାଦଳ, ନାଗରା ଆଦି ବାଦ୍ୟଯନ୍ତ୍ର ବଜେଇ କରମ୍ ପରବର ଲୋକ ଗୀତ ଗାଇ କଟାଇ ଥିଲେ। ସକାଳୁ ପୂଜାର୍ଚ୍ଚନା ସାରି ଜଳାଶୟ, ନଦୀ ଓ ପୁଷ୍କରିଣୀରେ କରମ୍ ରାଜାଙ୍କର ବିସର୍ଜନ କରାଯାଇଥିଲା। ପୂଜକ, କରମତୀ ଓ ଉପବାସ ରହିଥିବା ଶ୍ରଦ୍ଧାଳୁ ମାନେ ଜଳାଶୟରୁ ଘରକୁ ଫେରି ସାରୁ ପତ୍ରରେ ବାସୀ ପଖାଳ ଭାତ ଖାଇ ପାରନା କରିଥିଲେ। ସନ୍ଧ୍ୟାରେ ପୁଣି ଥରେ ପୂର୍ବ ରାତ୍ରୀ ଭଳି ମାଦଳ, ନାଗରା ଆଦିର ବାଦ୍ୟ ଯନ୍ତ୍ର ବଜାଇ ନାଚ ଗୀତ କରି ଆଖଳା ଭତା କରି ଖୁବ୍ ହର୍ଷ ଉଲ୍ଲାସ ର ସହିତ କରମ୍ ପରବ ପାଳନ କରିଥିଲେ।
ସାହାରପଡ଼ା ବ୍ଲକ କୁଣ୍ଡଳା ଗ୍ରାମରେ ପ୍ରକୃତି ପ୍ରତି ସମର୍ପିତ ଓ ଭାଇ ଭଉଣୀଙ୍କ ଅତୁଟ ପ୍ରେମର ପର୍ବ କରମ ପରବ ପାଳିତ ହୋଇଛି। ଭାଦ୍ରବ ମାସ ଏକାଦଶୀ ତିଥିରେ କୁଣ୍ଡଳା ଗ୍ରାମରେ କୁଡ଼ମି ମାନଙ୍କ ଦ୍ଵାରା କରମ ପୂଜା ମହା ଆଡମ୍ବରରେ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଛି। ପ୍ରକୃତି ରକ୍ଷକ ଭାଗ୍ୟ ଦେବତାର ପ୍ରତୀକ କରମ ଡାଳ କୁ ଗ୍ରାମ୍ୟବାସି ପୂଜା ଆରାଧନା କରିଥିଲେ। ତିଥିର ପୂର୍ବରୁ ଗ୍ରାମର କୁଆଁରୀ ଝିଅ ମାନେ ପବିତ୍ର ବୈତରଣୀ ନଦୀରୁ ବାଲି ସଂଗ୍ରହ କରି ଡାଲାରେ ରଖି ବିଭିନ୍ନ ଶସ୍ୟ ମଞ୍ଜି ଓ ଶସ୍ୟ ଫୁଲରେ ସୁସଜ୍ଜିତ କରି ରଖିଥିଲେ। ଯାହାକୁ ଜାୱା ବୋଲି କୁହାଯାଏ। କୁଆଁରୀ ଓ ନବବଧୂ ମାନେ ବହୁ ସଂଖ୍ୟାରେ ଧିଙ୍ଗୁଆନ୍ ମଣ୍ଡପ ରେ ଏକତ୍ରିତ ହୋଇ ଜାୱା ରଖି ରାତି ସାରା ପାରମ୍ପରିକ ନାଚଗୀତ ରେ ପ୍ରକୃତି ର ମଙ୍ଗଳ ନିମିତ୍ତ ନିଜକୁ ସମର୍ପିତ କରିଥିଲେ। ତହିଁ ଆରଦିନ ସକାଳେ କରମ ଗୋସାଇଁକୁ ଆଶିର୍ବାଦ ଭିକ୍ଷା କରି ଏହାକୁ ନଦୀରେ ବିସର୍ଜନ କରିଥିଲେ। ଏହି ପର୍ବରେ ପାଖ ଅଞ୍ଚଳରୁ ବହୁତ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।



