ସମ୍ବଲପୁର: ଆକାଶବାଣୀ, ସମ୍ବଲପୁର କେନ୍ଦ୍ରରେ କାର୍ଯ୍ୟରତ ପ୍ରସାରଣ ନିଷ୍ପାଦକ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସର ୧୧ ତାରିଖ ୫୬୪୨ ମିଟର ଉଚ୍ଚତା ବିଶିଷ୍ଟ ୟୁରୋପ ମହାଦେଶର ସର୍ବୋଚ୍ଚ ପର୍ବତମାଳା ଏଲବ୍ରସ ଶିଖରକୁ ସଫଳତାର ସହିତ ଆରୋହଣ କରି ନିଜ କର୍ମକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆକାଶବାଣୀ ରିକ୍ରିଏସନ କ୍ଲବ ସମ୍ବଲପୁର ତରଫରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଶ୍ରୀ ରମେଶ ଚନ୍ଦ୍ର ଭୋଇ, ଉପ ନିର୍ଦେଶକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଏବଂ କେନ୍ଦ୍ରର ଅନେକ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ରଥଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସମ୍ବର୍ଦ୍ଧନା ସଭାରେ ଶ୍ରୀ ରଥ ଏହି ଦୁଃସାହସିକ ପର୍ବତାରୋହଣ ସମୟରେ ସମ୍ମୁଖୀନ ହୋଇଥିବା ରୋମାଂଚ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ଶିଖରକୁ ପହଂଚିବା ସମୟର ଅନୁଭୂତି ସମ୍ପର୍କରେ ସହକର୍ମୀମାନଙ୍କୁ ଅବଗତ କରାଇଥିଲେ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଶ୍ରୀ ରଥ ୨୦୧୯ ମସିହାରେ ଜର୍ମାନୀର ହାମବର୍ଗ ଏବଂ ୨୦୨୨ ମସିହାରେ କାଜାକାସ୍ତାନଠାରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗୀତାରେ ଆଇରନ ମ୍ୟାନ ଟାଇଟିଲ ଜିଣି ସାରିଛନ୍ତି। ଆକାଶବାଣୀ ରିକ୍ରିଏସନ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ନିଷ୍ପାଦକ ଶ୍ରୀ ସନ୍ତୋଷ ପିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



