ସମ୍ବଲପୁର: ସମ୍ବଲପୁରର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶନିବାର ଆୟୋଜିତ ଏହି ଶୀର୍ଷକ ଆଲୋଚନାରେ ଐତିହାସିକ ତଥା ଲେଖକ ଦୀପକ କୁମାର ପଣ୍ଡା ଅତିଥି ରୂପେ ଯୋଗ ଦେଇ କହିଥିଲେ ଯେ, ସଶସ୍ତ୍ର ସଂଗ୍ରାମ ଓ ଅହିଁସା ଆନ୍ଦୋଳନ ଉଭୟ କ୍ଷେତ୍ରରେ ସମ୍ବଲପୁରର ଅଗ୍ରଣୀ ଭୂମିକା ବହୁ କାରଣରୁ ଦେଶରେ ବିରଳ ଓ ଅନନ୍ୟ। ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ମାନେ ଏ ସମ୍ପର୍କରେ ସଚେତନତାର ସହିତ ପ୍ରଚାର କରିଲେ, ଅଞ୍ଚଳର ଯଥାର୍ଥ ଗୌରବ ପ୍ରାପ୍ତି ହେବ। ବ୍ରିଟିଶ ବିରୁଦ୍ଧରେ କେଉଁଠି ଦିନେ, ମାସେ, ବର୍ଷେ ଅବା ୨ ବର୍ଷ ସଶସ୍ତ୍ର ସଂଗ୍ରାମ ସମ୍ଭବ ହୋଇଥିବା ବେଳେ କିନ୍ତୁ ସମ୍ବଲପୁରରେ ୨ଟି ଚରଣରେ ୨୦ ବର୍ଷ ସଂଗ୍ରାମ ହୋଇଥିଲା। ପରାଜୟର ଗ୍ଲାନିରେ ବ୍ରିଟିଶ ଶାନ୍ତି ବୁଝାମଣା କରି ଆଗେଇ ଆସି ବିଶ୍ୱାସଘାତକତା ଓ ଷଡଯନ୍ତ୍ର କରିଥିଲେ। ଅଭିଯୋଗ ଅଦାଲତ ଦ୍ୱାରା ଖାରଜ ହେବା ସତ୍ୱେ ସଂଗ୍ରାମୀ ମାନଙ୍କୁ ଅଟକ ବନ୍ଦୀ ଭାବରେ ରଖି ସେମାନଙ୍କର ଜୀବନ ବ୍ରିଟିଶ ମାନେ ନେଇଥିଲେ। ସୁରେନ୍ଦ୍ର ସାଏ ଙ୍କ ୩୭ ବର୍ଷ ଓ ଉଦନ୍ତ ସାଏ ଙ୍କ ୪୭ ବର୍ଷର କାରାବରଣ, ଖିଣ୍ଡା, କୁଲାବିରା, ଘେଁସ, ଲଖନପୁର ସମେତ ବହୁ ପରିବାରର ଅନେକ ସଦସ୍ୟଙ୍କ ଆତ୍ମୋସର୍ଗ ସମେତ ବହୁ ବିଶେଷତ୍ୱ ଦ୍ୱାରା ଏହି ସଂଗ୍ରାମ ପରିପୃଷ୍ଟ ଅଟେ। ସେହିଭଳି କଂଗ୍ରେସକୁ ଓଡ଼ିଶାକୁ ଆଣିବା ଏବଂ ଓଡ଼ିଶା ଗଠନରେ ଚନ୍ଦ୍ରଶେଖର ବେହେରାଙ୍କ ଭୂମିକା, ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ୧୭ ବର୍ଷର କାରାବରଣ, ଭଗିରଥୀ ପଟ୍ଟନାୟକ, ଦୟାନନ୍ଦ ଶତପଥୀ ଓ ବହୁ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଆଶ୍ଚର୍ଯ୍ୟଜନକ ତ୍ୟାଗ ପୁର୍ଣ୍ଣ ଅଂଶଗ୍ରହଣ, ବହୁ ସଂଗ୍ରାମୀଙ୍କ କାରାବରଣ କରିଥିଲେ। ଏହି ଅବସରରେ ବିଶେଷ ଘଟଣାକ୍ରମରେ ଝାରସୁଗୁଡା – ସମ୍ବଲପୁର – ବରଗଡ଼ କେନ୍ଦ୍ରିକ ସଂଗ୍ରାମର ମହନିୟତା ପ୍ରତିପାଦନ ଐତିହାସିକ ଶ୍ରୀ ପଣ୍ଡା କହିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ରାଜଶ୍ରୀ ବରାଳ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଅଖିଳ ବିଶ୍ୱାଳ ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନେ ସକ୍ରିୟ ସହାୟତା କରିଥିବା ବେଳେ ଶେଷରେ ଡ. ଉମାଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



