ସମ୍ବଲପୁର: ସମ୍ବଲପୁରର ଯୁବ ସମାଜସେବୀ ତଥା ରୋଟାରୀ କ୍ଲବର ଆସିଷ୍ଟାନ୍ଟ ଗର୍ଭନର ମହମ୍ମଦ ପରବେଜ ଅଲ୍ଲୀ ଖାନଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଗତ ୬ ତାରିଖରେ ଛତିଶଗଡ଼ର ଭିଲାଇ ସହରରେ ଓଡ଼ିଶା, ଛତିଶଗଡ଼଼ ଓ ମଧ୍ୟପ୍ରଦେଶ ରାଜ୍ୟକୁ ନେଇ ଗଠିତ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୧ର ସମାରୋହରେ ଆସିଷ୍ଟାନ୍ଟ ଗଭର୍ନର ଓ ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟରର ସଦସ୍ୟ ମାନେ ଯୋଗ ଦେଇଥିଲେ। ବିଗତ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧନା ସକାଶେ ‘ରେଗାଲିଆ’ ନାମକ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟରର ପୂର୍ବତନ ସଭାପତି ତଥା ଆସିଷ୍ଟାନ୍ଟ ଗଭର୍ନର (୨୦୨୨ – ୨୩) ପରବେଜ ଅଲ୍ଲୀ ଖାନଙ୍କୁ ରୋଟାରୀ ଇନ୍ଟନ୍ୟାସନାଲରୁ ନିର୍ଦ୍ଦେଶକ ଅନିରୁଦ୍ଧ ରାୟଚୌଧୁରୀ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ନର ଶଶାଙ୍କ ରସ୍ତୋଗୀ, ମନଜିତ ସିଂହ ଅରୋରା, ଅଖିଳ ମିଶ୍ର, ଅମିତ ଜୟସ୍ୱାଲ ଙ୍କ ସମେତ ଅନେକ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ନର ଉପସ୍ଥିତ ରହିଥିଲେ। ଏହି ସମାରୋହରେ ୩ଟି ରାଜ୍ୟର ୪ ଶହରୁ ଉର୍ଦ୍ଧ ସଦସ୍ୟ ଓ ସଦସ୍ୟା ମାନେ ସାମିଲ ହୋଇ କ୍ଲବର ଜନସେବା କାର୍ଯ୍ୟକ୍ରମ ଗୁଡିକ ଉପରେ ବିଚାର ବିର୍ମଶ କରିଥିଲେ। ସୂଚନାଯୋଗ୍ୟ ଯେ, ପରବେଜ ଖାନ ତାଙ୍କର ଛାତ୍ର ଜୀବନରୁ ହିଁ ସମାଜସେବା କାର୍ଯ୍ୟରେ ସ୍ୱତଃପ୍ରବୃତ୍ତ ଭାବରେ ନିଜକୁ ନିୟୋଜିତ ରହିଛନ୍ତି। ସେ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରରେ ବିଗତ ୨୮ ବର୍ଷ ହେବ ନିରନ୍ତର କାର୍ଯ୍ୟରତ ରହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସବୁ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।
Popular Categories



