ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପ୍ରତିବାଦରେ ତହସିଲ ଘେରାଉ
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଓ ସୁବଳୟା ଥାନା ଅଧୀନସ୍ଥ ଭାଲଡୁଙ୍ଗୁରୀ ଗ୍ରାମ୍ୟ ଜଙ୍ଗଲ ଜମିର କେତେକ ପ୍ଲଟକୁ ବେଆଇନ ଭାବେ ପଟ୍ଟା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ମଙ୍ଗଳବାର ଘିଚାପାଲି ଗ୍ରାମବାସୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନେ ବନ ବିଭାଗର ଜାଣତରେ ଦୀର୍ଘ ବର୍ଷ ଧରି ଉକ୍ତ ଜଙ୍ଗଲ ଜମିର ରକ୍ଷଣାବେକ୍ଷଣ କରିବା ସହ ବୃକ୍ଷରୋପଣ ମଧ୍ୟ କରି ଆସୁଥିଲେ। ଗ୍ରାମର ଗୃହପାଳିତ ଜୀବଜନ୍ତୁଙ୍କ ସମେତ ସମସ୍ତ ଗ୍ରାମବାସୀ ମଧ୍ୟ ଉକ୍ତ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମତେ ଖାତା ନମ୍ବର – ୩୮ରୁ ଜବରଦଖଲ ମାମଲା ନମ୍ବର-୬୬୬/୨୦୦୦ର ଆଦେଶ ମତେ ଉକ୍ତ ଜଙ୍ଗଲ ଜମିରୁ କେତେକ ବ୍ୟକ୍ତିଙ୍କ ନାମରେ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏଭଳିକି ଗୋଟିଏ ପରିବାରର ନାବାଳକଙ୍କ ନାମରେ ମଧ୍ୟ ପଟ୍ଟା ପ୍ରଦାନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପୂର୍ବରୁ ମଧ୍ୟ ଅନେକ ଥର ଏ ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଦର୍ଶାଇଛନ୍ତି। ଗ୍ରାମବାସୀ ଏହାର ଉପଯୁକ୍ତ ତଦନ୍ତ ପୂର୍ବକ ଦିଆଯାଇଥିବା ପଟ୍ଟା ଖାରଜ କରାଯିବାକୁ ଦାବି ଜଣାଇଛନ୍ତି। ତେବେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ତହସିଲଦାର ବିବୁଧ ଗଡନାୟକ ପ୍ରକାଶ କରିଛନ୍ତି।
Comments are closed.