ଫୁଲବାଣୀ: ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲା ସାରା ଲାଗି ରହିଛି ତୁହାକୁ ତୁହା ବର୍ଷା। ଫଳରେ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଘର ଭିତରେ ପାଣି ପଶିବା, କଚ୍ଚା ଘର ଭାଙ୍ଗିବା, ରାସ୍ତା ଓ କଲଭର୍ଟ ଧୋଇ ହୋଇ ଯାତାୟାତ ବାଧାପ୍ରାପ୍ତ ହେବାଭଳି ଖବର ମିଳିଛି। ଏପଟେ ମଙ୍ଗଳବାର ଦିନବେଳେ ମୂଷଳଧାରାରେ ବର୍ଷା ଫୁଲବାଣୀ ସହର ସମେତ ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି। ମଙ୍ଗଳବାର ଗୋଟିଏ ଦିନରେ କନ୍ଧମାଳ ଜିଲ୍ଲାରେ ବ୍ଲକ ପିଛା ହାରାହାରି ୮୨.୮ ହିସାବରେ ସମୂଦାୟ ୯୯୩.୬ ମିମି ବର୍ଷା ରେକର୍ଡ କରାଯାଇଛି।
କେ ନୂଆଗାଁ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ବେଳେ ଫିରିଙ୍ଗିଆରେ ୧୩୪, ବାଲିଗୁଡାରେ ୧୨୦, ତୁମୁଡିବନ୍ଧରେ ୧୧୦.୬, କୋଟଗଡରେ ୧୦୯, ଫୁଲବାଣୀରେ ୧୦୨, ରାଇକିଆରେ ୭୩ ଓ ଟିକାବାଲିରେ ୭୨ ମିମି ବର୍ଷା ହୋଇଥିବା ଜିଲା ଆପଦକାଳୀନ ଅଧିକାରୀ ରଞ୍ଜନ କୁମାର ମାର୍ଥା ସୂଚନା ଦେଇଛନ୍ତି। ଫୁଲବାଣୀ ସହରରେ ଆଜି ଦିନ ବେଳେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଫଳରେ ସହରର ଅନେକ ତଳିଆ ଅଞ୍ଚଳରେ ଘର ଭିତରେ ପାଣି ପଶିଯାଇଥିବା ଜଣାପଡିଛି। କେତେକ ସ୍ଥାନରେ ଲୋକେ ପମ୍ପ ସାହାଯ୍ୟରେ ପାଣି ବାହାର କରୁଥିବା ଦେଖାଯାଇଛି। ଅଧିକାଂଶ ରାସ୍ତା ଉପରେ ବନ୍ୟାଜଳ ଭଳି ପାଣି ପ୍ରବାହିତ ହେଉଛି। ନଦୀଖଣ୍ଡି ସାହିରେ ଥିବା ସାଲୁଙ୍କୀ ନଦୀ ଡ୍ୟାମ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ୨ ନଂ ଓ୍ବାର୍ଡର ଡାମିଗାଁ, ଡାକପାଲା ଭଳି ଅଞ୍ଚଳ ସହରରୁ ବିଚ୍ଛିନ୍ନ ହୋଇଛି। ସହରର ମୂଖ୍ୟ ବଜାରରେ ଦୁଇ ଫୁଟ ଉଚ୍ଚରେ ବର୍ଷାଜଳ ଚାଲିବା ସହ ନର୍ଦ୍ଦମା ପାଣିରେ ରାସ୍ତା ଭରିଯାଇଛି।
ଫିରିଙ୍ଗିଆ ବ୍ଲକରେ ବର୍ଷାର ପ୍ରଭାବ, ଅନେକ ଗ୍ରାମ ଜଳବନ୍ଦୀ ହୋଇଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ଯାତାୟାତ ବ୍ୟବସ୍ଥା ଗୁରୁତର ବାଧାପ୍ରାପ୍ତ ହୋଇଛି। ବାଲନ୍ଦାପଡାଠାରେ ଦୁର୍ଗାମୁଣ୍ଡା ନାଳର ପୋଲ ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ସମ୍ପୂର୍ଣ୍ଣ କୋଏରମାଣ୍ଡୁ ଓ ପାହିରାଜୁ ପଞ୍ଚାୟତକୁ ଯାତାୟାତ ଠପ ହୋଇ ଯାଇଛି। ବାଘଡଙ୍ଗେରୀ ନାଳରେ ପାଣି ଆସିବାରୁ ତାଳପଙ୍ଗା, ବଟାବାହାଲି, ଲମ୍ବାଖେତା, କେନ୍ଦୁଗୁଡା ଭଳି ୮ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି। କ୍ରାଣ୍ଡିବାଲି ପଞ୍ଚାୟତରେ ବାଘନଦୀରେ ବନ୍ୟାଜଳ ଆସି ୩ ଖଣ୍ଡ ଗାଁ ଜଳବନ୍ଦୀ ହୋଇଛି। ସଲାଗୁଡା ପଞ୍ଚାୟତର ଅନେକ ଗ୍ରାମ ସହିତ ଡିଣ୍ଡିରା ଗାଁ ପଞ୍ଚାୟତର ଟେଲାପାଲି ଓ ଗଞ୍ଜୁଖୋଲ ଗ୍ରାମ ପାଣି ଘେରରେ ରହିଛି। ଲୁଇସିଂ ନାଳରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଘର ଜଳବନ୍ଦୀ ହୋଇଥିବା ଜଣାପଡିଛି। ଫିରିଙ୍ଗିଆ ବ୍ଲକର ଅଧିକାଂଶ ପଞ୍ଚାୟତରେ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଥିବା ଦେଖିବାକୁ ମିଳିଛି।



