ସମ୍ବଲପୁର: ସମ୍ବଲପୁରର ଟାଉନ ଥାନା ଅର୍ନ୍ତଗତ ଅଞ୍ଚଳରେ ୨୦୦୦ ମସିହାରେ ସଲିମ ନାମକ ଜଣେ ଯୁବକଙ୍କୁ ସେ ସମୟରେ ଗୁଲଗୁଲା ଖାନ ଓ ତାଙ୍କର ସାଥି ମାନେ ମିଶି ହତ୍ୟା କରି ଦେଇଥିଲେ। ଏହି ଘଟଣା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗୁଲଗୁଲା ଖାନ ଓ ତାଙ୍କର ସହଯୋଗୀ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିଲା। ୨୦୧୦ ମସିହାରେ ଅଭିଯୁକ୍ତ ଗୁଲଗୁଲା ଖାନ ଜାମିନରେ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଅଦାଲତର ସମନ ସତ୍ୱେ ବିଗତ ୧୩ ବର୍ଷ ହେବ ହାଜିର ନ ହୋଇ ଫେରାର ଚାଲୁଥିଲେ। ଏଣୁ ଅଦାଲତ ତରଫରୁ ଫେରାର ଅଭିଯୁକ୍ତଙ୍କ ନାମରେ ୱାରେଣ୍ଟ ଜାରି କରାଯାଇଥିଲା।
ଦୀର୍ଘ ୧୩ ବର୍ଷ ପରେ ଅଭିଯୁକ୍ତ ଗୁଲଗୁଲା ଖାନଙ୍କୁ ଟାଉନ ଥାନା ପଛରେ ଥିବା ଦାନୀବନ୍ଧ ଅଞ୍ଚଳରୁ ଗିରଫ କରାଯାଇଥିଲା। ଏଣୁ ଅଭିଯୁ୍କ୍ତଙ୍କୁ ଗୁରୁବାର ପୂର୍ବାହ୍ନରେ ଅଦାଲତକୁ ନେଇ ପୁଲିସ ଉପସ୍ଥାପନା ସମୟରେ ସେ ଶୌଚ ଯିବା ବାହାନାରେ ଅଦାଲତ ପରିସରରେ ଥିବା ଶୌଚାଳୟର ସ୍କାଇ ଲାଇଟ ଦେଇ ଫେରାର ହୋଇ ଯାଇଥିବାର ଟାଉନ ପୁଲିସ କହିଛି। ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅଦାଲତ ପରିସର ମଧ୍ୟରୁ ଅଭିଯୁକ୍ତ ଫେରାର ହେବାର ଏହି ଘଟଣା ପରେ ସମ୍ବଲପୁର ପୁଲିସର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି ଲାଗିଛି। ଅପରପକ୍ଷରେ ଟାଉନ ଥାନା ପଛରେ ଥିବା ଦାନୀବନ୍ଧ ଅଞ୍ଚଳରେ ରହୁଥିବା ଜଣେ ଅଭିଯୁକ୍ତଙ୍କୁ ପୁଲିସକୁ ଧରିବାରେ ୧୩ ବର୍ଷରୁ ଉର୍ଦ୍ଧ ସମୟ ଲାଗିଯିବା ଏବଂ ଧରା ପଡ଼ିବା ପରେ ପୁର୍ନବାର ଖାମଖିଆଲି କାର୍ଯ୍ୟଶୈଳୀ ଯୋଗୁଁ ସେ ଫେରାର ହେବା ଘଟଣା ଟାଉନ ପୁଲିସର ବଡ ବିଫଳତା ଅଟେ। ଅନ୍ୟ ପଟରେ ଫେରାର ଅଭିଯୁକ୍ତଙ୍କ ନାମରେ ପୁର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିବାର କୁହାଯାଉଛି।



