ଫୁଲବାଣୀ: ଆଦିବାସୀଙ୍କ ପ୍ରମୁଖ କଥିତ ଭାଷା କୁଇକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାର ସୁପାରିଶ କରିବେ। ଏ ନେଇ ଏକ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ମଞ୍ଜୁର କରାଯାଇଛି। ଏହାକୁ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ରାଜ୍ୟର ଆଦିବାସୀ ସମାଜ ତରଫରୁ ରାଜ୍ୟ ସରକାର ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, କନ୍ଧମାଳ ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି, ଗଞ୍ଜାମ, ଗଜପତି, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ସମେତ ଅନ୍ୟ ଜିଲ୍ଲା ମାନଙ୍କରେ ବସବାସ କରୁଥିବା ଆଦିବାସୀ ମାନେ କୁଇ ଭାଷାରେ କଥାବାର୍ତ୍ତା କରି ଥାଆନ୍ତି। । ଇତି ମଧ୍ୟରେ କୁଇ ଲିପି ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି। କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଅନେକ ଦିନରୁ ଦାବୀ ହୋଇ ଆସୁଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କଲେ କୁଇ ଭାଷାକୁ ସ୍ବତନ୍ତ୍ର ସ୍ବିକୃତି ମିଳିବ। ଏହା ଫଳରେ କୁଇ ଭାଷାର ପ୍ରଚାର ପ୍ରସାର ସହ ସଂରକ୍ଷଣ ଓ ଗବେଷଣା ପାଇଁ ବାଟ ଖୋଲିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଇ ସମାଜ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସାନ୍ତାଳୀ ଭାଷା ଏକମାତ୍ର ଆଦିବାସୀ ଭାଷା ଭାବେ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନୀତ ହୋଇଛି। ସ୍ଥାନୀୟ କୁଇ ସମାଜ କାର୍ୟ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମାଜର ସଭାପତି ସୁଦର୍ଶନ କହଁର, କୁଇ ଭାଷା ସାହିତ୍ୟ ସମିତି ସଭାପତି ଦୀନବନ୍ଧୁ କହଁର, ବାଲିଗୁଡା କୁଇ କୂଳ ସମିତି ସଭାପତି ମନୋଜ କୁମାର ମଲ୍ଲିକ, କୋଷାଧ୍ୟକ୍ଷ ଭାବୀନ୍ଦ୍ର କହଁର ପ୍ରମୂଖ ଉପସ୍ଥିତ ଥିଲେ। ସମାଜର ସମ୍ପାଦକ ଇଂ ଅବନୀ କହଁର ବୈଠକ ପରିଚାଳନା କରିଥିଲେ।
କୁଇ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କୁଇ ସମାଜ
Popular Categories



