ଆଠଗଡ଼: ସଂପ୍ରତି ଜର୍ମାନୀର ବର୍ଲିନ୍ଠାରେ ଜୁନ୍ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ଭାଗନେଇ ରୌପ୍ୟ ପଦକ ହାସଲ କରିଥିବା ଆଠଗଡ଼ର ଝିଅ କଳ୍ପନା ଜେନାଙ୍କୁ ମଙ୍ଗଳବାର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଖୁଣ୍ଟକଟା ପଞ୍ଚାୟତର ରେଗେଡ଼ାପଡ଼ା ଗ୍ରାମର ଗଦାଧର ଜେନା ଓ ଗୀତାଞ୍ଜଳି ଜେନାଙ୍କ(ମାନସିକ ଅନଗ୍ରସର) ଝିଅ କଳ୍ପନାଙ୍କର ପିଲାଟି ଦିନରୁ ପାଠ ଓ ଖେଳ ପ୍ରତି ଆଗ୍ରହ ଦେଖି ତାଙ୍କ ବାପା ମାଆ ତାଙ୍କୁ ପ୍ରଥମେ ପ୍ରାଥମିକ ସ୍କୁଲ ଓ ପରେ ଖୁଣ୍ଟୁକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ପାଠ ପଢ଼ାଇଥିଲେ। ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା କଳ୍ପନାଙ୍କ ପ୍ରତିଭାକୁ ଚିହ୍ନଟ କରି ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ନିଜ କାର୍ଯ୍ୟାଳୟର ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀଙ୍କ ଜରିଆରେ ଦୋରଡସ୍ଥିତ ଡଃ ବ୍ରଜବିହାରୀ ମହାନ୍ତି ମାନସିକ ଅନଗ୍ରସର ଶିକ୍ଷା ଟ୍ରଷ୍ଟରେ ଭର୍ତ୍ତି କରାଇଥିଲେ। ସେଠାରେ ସେ ଟ୍ରଷ୍ଟର ମୁଖ୍ୟ ପରିଚାଳକ ବିବେକାନନ୍ଦ ମହାନ୍ତିଙ୍କ ଠାରୁ ପ୍ରଶିକ୍ଷଣ ପାଇ ସ୍ୱତନ୍ତ୍ର ଅଲମ୍ପିକ୍ସର ବର୍ଲିନ କ୍ରୀଡାରେ ଭାଗନେଇ ଏହି ସଫଳତା ପାଇଥିଲେ। ମଙ୍ଗଳବାର ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାମଲ ରେଗେଡ଼ାପଡ଼ାସ୍ଥିତ କଳ୍ପନାଙ୍କ ଘରକୁ ଯାଇ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସେଠାରେ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ଓ ଆଇଇଡି ଚିତ୍ତରଞ୍ଜନ ପଣ୍ଡା ଟେଲିଫୋନ ଜରିଆରେ କଳ୍ପନାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ। ବ୍ଲକ ଶିକ୍ଷାଧିକାରୀଙ୍କ ସହିତ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ବିସ୍ମିତା ମହାନ୍ତି, ମମତା ମହାନ୍ତି, ସିଆରସିସି ଦୁର୍ଗାଚରଣ ନାୟକ, ଶିକ୍ଷାବିତ୍ ନିଳମଣି ନାୟକ, କିଶୋର ଚନ୍ଦ୍ର ବେହେରା, ନିରଞ୍ଜନ ପଟ୍ଟନାୟକ ଓ ପ୍ରକାଶ କୁମାର ବେହେରା ପ୍ରମୁଖ କଳ୍ପନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Popular Categories



