ଗୋପାଳପୁର: ଗତ କିଛି ଦିନ ଧରି ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି ନେଇ ବିଭିନ୍ନ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପକ୍ଷରୁ ଧାରଣା ସହ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି ପୁଣି ଥରେ ବିଭିନ୍ନ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆସନ୍ତା ଜୁଲାଇ ୪ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବା ନିମନ୍ତେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତୃତୀୟ ସେମିଷ୍ଟାର ପରୀକ୍ଷା ଏପ୍ରେଲ ମାସରେ ସରିଥିବା ବେଳେ ମେ ମାସରୁ ଏକ ମାସ ଗ୍ରୀଷ୍ମ ଛୁଟି ରହିଥିଲା। ସେହି ସମୟ ମଧ୍ୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷାର ସିଲାବସ ପ୍ରକାରେ ପାଠ୍ୟକ୍ରମ ସରିନଥିବା ଓ ଅନ ଲାଇନମାଧ୍ୟମରେ ପାଠପଢ଼ା ହୋଇ ନଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ। ତେଣୁ ଏହି ପରୀକ୍ଷାକୂ ସିଲାବସର ପାଠ୍ୟକ୍ରମ ଅନୁସାରେ ସାରିବା ପରେ ପରୀକ୍ଷା କରିବା ପାଇଁ ପ୍ରାୟ ୧୦ଟି କଲେଜର ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡୁ ବିକ୍ଷୋଭ ସ୍ଥଳରେ ପହଁଚି ଛାତ୍ରଛାତ୍ରୀ ସହ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସମାଧାନ ହୋଇନଥିଲା। ପରେ ପ୍ରାୟ ୧୦ଟି କଲେଜ ଅଧକ୍ଷଙ୍କୁ ବିଶ୍ଵବିଦ୍ୟାଳୟ ଡକାଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ନେଇ ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡୁ ଓ ସମସ୍ତ କଲେଜ ଅଧ୍ୟକ୍ଷ ବିକ୍ଷୋଭ ସ୍ଥଳରେ ପହଁଚି ଛାତ୍ରଛାତ୍ରୀ ଜୁଲାଇ ୧୪ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି କହିଥିଲେ। କିନ୍ତୁ ଅନେକ ବିଦ୍ୟାର୍ଥୀ ୧୦ ଦିନ ପରିବର୍ତ୍ତେ ଏହାକୁ ଅନ୍ୟୁନ ୨୦ ଦିନ ଘୁଞ୍ଚାଇବାକୁ ଦାବି କରିଥିଲେ ସୁଦ୍ଧା ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷ ଏଥି ପ୍ରତି ଗୁରୁତ୍ବ ଦେଇନଥିବା ଅନେକ ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି।
ଏ ନେଇ ପରୀକ୍ଷା ନିୟନ୍ତ୍ରକ ଡ଼ଃ କୁଣ୍ଡଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଜୁଲାଇ ୪ ରେ ପରୀକ୍ଷା ହେବାକୁ ଥିବା ୪ର୍ଥ ସେମିଷ୍ଟlର ପରୀକ୍ଷାକୁ ୧୪ ଜୁଲାଇ ଠାରୁ ଆରମ୍ଭ ହେବ। ସେ ନେଇ ଆଜି ବିଜ୍ଞପ୍ତି ଜାରି କରାଯିବ।



