ଏନଡିଏ ସରକାରଙ୍କ ୯ ବର୍ଷ: ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ

ଡେସ୍କ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଟାଉନ୍‌ ହଲ୍‌ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କେନ୍ଦ୍ରର ‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’, ‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ ଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଯୁଗ୍ମ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ପ୍ରାଧ୍ୟାପକ, ଲେଖକ ତଥା ବକ୍ତା ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ‘‘ସ୍ୱାଧୀନତାର ଅମୃତ ମହୋତ୍ସବ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ଭୂମିକା’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଉଦାହରଣ ଦେଇ ଦେଶକୁ ସ୍ୱାଧୀନ କରିବା ଲାଗି ଖୋର୍ଦ୍ଧା ମାଟିର ମହାନ ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନେ ଦେଇଥିବା ବଳିଦାନ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହିତ ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଓ ଖୋର୍ଦ୍ଧା ମାଟିର ଅବଦାନ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ତଥା ବକ୍ତା ପ୍ରଦ୍ୟୁମ୍ନ ଶତପଥୀ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କାରଣରୁ ଆଜି ଦେଶବାସୀଙ୍କର ସର୍ବାଙ୍ଗୀଣ ଉନ୍ନତି ହୋଇଛି ତଥା ବିଶ୍ୱସ୍ତରରେ ଭାରତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଛି। ‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’ ବିଷୟବସ୍ତୁ ଉପରେ ଉଦବୋଧନ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ ଯେ, ଏନଡିଏ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ କର୍ମଶାଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହିତ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ସମସ୍ତ ଗଣମାଧ୍ୟମ ପ୍ରତିନିଧି କର୍ମଶାଳାରେ ଉପସ୍ଥିତ ଥିଲେ।

Comments are closed.