ଫୁଲବାଣୀ/ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ବର୍ତ୍ତମାନ ରେଭେନ୍ସା ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି କରୁଛନ୍ତି। କରୋନା ମହାମାରୀ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଗଟାମାହା ଗ୍ରାମ ସହ ନିକଟସ୍ଥ ଗ୍ରାମର ୧ମ ଠାରୁ +୨ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନିଜ ଘର ବାରଣ୍ଡାରେ ବସାଇ ନିଃଶୁକ୍ଳରେ ପାଠ ପଢ଼ାଉଛନ୍ତି। ଏହା ସହ ଛାତ୍ରବୃତ୍ତି ବାବଦରେ ଏବଂ ମଣ୍ଡିରେ ଧାନ ବିକ୍ରୟ କରି ଯେଉଁ ଟଙ୍କା ପାଆନ୍ତି ସେହି ଟଙ୍କାକୁ ବିନିଯୋଗ କରି ପାଠ୍ୟପୁସ୍ତକ ଉପକରଣ କିଣି ପିଲାମାନଙ୍କୁ ଯୋଗାଇ ଦେଉଛନ୍ତି। ସେ ଯେଉଁ ଘର ବାରଣ୍ଡାରେ ପାଠ ପଢ଼ାଉଥିଲେ ସେହି ଘର ବର୍ଷା ପବନରେ ଭାଙ୍ଗି ଯାଇଛି। ନିଜ ଗାଁରେ ପିଲାମାନଙ୍କୁ ପାଠ ପଢ଼େଇବା ପାଇଁ ଆବଶ୍ୟକ ଘର ଟିଏ ନଥିବା ଯୋଗୁଁ ପିଲାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଘଟଣାକୁ କେନ୍ଦ୍ର କରି ସେ ଗଟାମାହା ଗ୍ରାମରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ତଥା ପାଠାଗାର ନିର୍ମାଣ ନିମନ୍ତେ ସରକାରୀ ଅନୁଦାନ ପ୍ରଦାନ ପାଇଁ ବ୍ଳକ୍ ଓ ଜିଲ୍ଲା ପ୍ରଶାସନ, କନ୍ଧମାଳ ସାଂସଦ ଏବଂ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷରୁ ଅଧିକ ହେବ ଲାଇବ୍ରେରୀ ନିର୍ମାଣ ପାଇଁ ସଠିକ ଅନୁଦାନ ମିଳିନାହିଁ। ଏହାକୁ ନେଇ ସେ ଏବଂ ଛାତ୍ରଛାତ୍ରୀ ମାନେ ଗଭୀର ଭାବରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ଳକ ପ୍ରଶାସନ ତରଫରୁ ଲାଇବ୍ରେରୀ ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି କିନ୍ତୁ ଉକ୍ତ ଟଙ୍କାରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ିବା ଭଳି କୋଠରି ନିର୍ମାଣ ହୋଇପାରିବ ନାହିଁ। ସେହି ଦୃଷ୍ଟିକୋଣରୁ ଲାଇବ୍ରେରୀ ନିର୍ମାଣ କରାଯାଇନାହିଁ। ଲାଇବ୍ରେରୀ ନିର୍ମାଣ ପାଇଁ ଅତିରିକ୍ତ ଅନୁଦାନ ପ୍ରଦାନ ପାଇଁ ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ବରଂ ପ୍ରଶାସନିକ ଅଧିକାରୀମାନେ ଅନୁଦାନ ନାହିଁ ବୋଲି କହି ସିଧାସଳଖ ମନା କରିଦେଉଛନ୍ତି। ତେଣୁ ସେ ଏବଂ ଛାତ୍ରଛାତ୍ରୀ ମାନେ ଆଗାମୀ ଏକ ସପ୍ତାହ ମଧ୍ୟରେ ଗଟାମାହା ଗ୍ରାମରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ନିର୍ମାଣ କରିବା ପାଇଁ ତୁରନ୍ତ ୧୫ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୋ ସରକାର ୫-ଟି ସଚିବ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।
Popular Categories



