www.samajalive.in
Monday, December 15, 2025
16.1 C
Bhubaneswar

ସୌମେନ୍ଦ୍ରଙ୍କୁ ଓୟୁଏଟିର ଅତିରିକ୍ତ କୁଳପତି ଦାୟିତ୍ବ

ଭୁବନେଶ୍ୱର  : ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ଅତିରିକ୍ତ କୁଳପତି ଭାବେ ଦାୟିତ୍ବ ଦିଆଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସହିତ ସେ ଓୟୁଏଟିର ଅତିରିକ୍ତ କୁଳପତି ଦାୟିତ୍ବ ତୁଲାଇବେ। ଓୟୁଏଟିର ନୂଆ କୁଳପତି ଯୋଗଦେବା ପର୍ଯ୍ୟନ୍ତ ସେ ଏହାର କୁଳପତି ଭାବେ କାମ କରିବେ। ଗୁରୁବାର ଶ୍ରୀ ପଟ୍ଟନାୟକଙ୍କୁ କୁଳାଧିପତି ତଥା ରାଜଭବନରୁ ଡକରା ଆସିଥିଲା। ସେଠାରେ ତାଙ୍କ ସହିତ ଦୁଇଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହାପରେ ତାଙ୍କୁ ଓୟୁଏଟିର ଅତିରିକ୍ତ କୁଳପତି ଦାୟିତ୍ବ ନିର୍ବାହ କରିବା ପାଇଁ କୁହାଯାଇଥିଲା। ଅପରାହ୍ଣରେ ଶ୍ରୀ ପଟ୍ଟନାୟକ ଓୟୁଏଟିର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଓୟୁଏଟି ଯାଇ କାର୍ଯ୍ୟଭାର ତୁଲାଇବେ।

Pic. Courtesy : OUAT

ପ୍ରଫେସର ପଟ୍ଟନାୟକ କହିଛନ୍ତି ଯେ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋତେ ଓୟୁଏଟିର ଅତିରିକ୍ତ କୁଳପତି ଦାୟିତ୍ବ ଦିଆଯାଇଛି। ଏହାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଚେଷ୍ଟା କରିବି। ଓୟୁଏଟିକୁ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ପ୍ରୟାସ ଜାରି ରହିବ। ଏହାସହିତ କୃଷି ଓ କୃଷକଙ୍କ ବିକାଶ ପାଇଁ ନିରନ୍ତର ପଦକ୍ଷେପ ନିଆଯିବ। କୁଳପତି ଭାବେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣା ଦିଗ ପ୍ରତି ଯତ୍ନବାନ ରହିବି। ସବୁ ବିଶ୍ୱବିଦ୍ୟାଳୟ ଭଳି ଓୟୁଏଟିରେ ମଧ୍ୟ ବିଭିନ୍ନ ସମସ୍ୟା ରହିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେହି ସମସ୍ୟା ସମାଧାନ କରିବି। ସୂଚନା ଯୋଗ୍ୟ ଯେ ଓୟୁଏଟି କୁଳପତି ଥିବା ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ନିଜ ପଦବୀର ଦୁରୂପଯୋଗ ସହିତ ଦୁର୍ନୀତିରେ ଲିପ୍ତଥିବା ଅଭିଯୋଗ କରାଯାଇଥିଲା। ଏହାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଦାଖଲ କରାଯାଇନାହିଁ। ପ୍ରଫେସର ପଶୁପାଳକଙ୍କୁ ଛୁଟିରେ ଯିବା ପାଇଁ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ନିର୍ଦେଶ ଦିଆଯାଇଥିଲା। ତେବେ ବୁଧବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଶ୍ରୀ ପଶୁପାଳକ ଏହାର ପ୍ରତିବାଦ କରିଥିଲେ। ଓୟୁଏଟି କୁଳପତି ଭାବେ ପ୍ରଫେସର ପଶୁପାଳକ ୨୦୧୬ ମାର୍ଚ୍ଚରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୨୦୧୯ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏବେ ସର୍ଚ୍ଚ କମିଟି ପକ୍ଷରୁ ଓୟୁଏଟି ନୂଆ କୁଳପତି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଓୟୁଏଟି ନୂଆ କୁଳପତି ନିଯୁକ୍ତି ପାଇଁ ମନୋନୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କୁ ଓୟୁଏଟି କୁଳପତି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିବାକୁ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀ ଗର୍ଗ ଏହି ଅତିରିକ୍ତ ପଦରେ ରହିବେ ନାହିଁ ବୋଲି ମନା କରିବା ପରେ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁନଃଆଲୋଚନା କରାଯାଇ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଓୟୁଏଟିର ଅତିରିକ୍ତ କୁଳପତି ଭାବେ ଦାୟିତ୍ବ ପ୍ରଦାନ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା କୁଳାଧିପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories