ପୁଣି ଆସିଲା ପାନାମା: ପୁଣି କିଛି ନୂଆ ଧନ କୁବେରଙ୍କ ନାମକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ପୁଣି ଥରେ ପାନାମା ପେପର୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇ ବର୍ଷ ପୂର୍ବେ ପାନାମା ଲ ଫାର୍ମ ମସାକ ଫ୍ରାନ୍ସକୋ ସଂସ୍ଥାର କିଛି ଦସ୍ତାବିଜ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାରତ ସମେତ ବିଶ୍ୱର ଏକାଧିକ ଧନ କୁବେର ଟିକସ ଛାଡ଼ ଦେଶଗୁଡ଼ିକରେ ସେମାନଙ୍କ କଳା ଧନ ଠୁଳ କରିଥିବା ଜଣା ପଡ଼ିଥିଲା। ସମ୍ପ୍ରତ୍ତି ପୁଣି ଥରେ ଉପରୋକ୍ତ ସଂସ୍ଥାର ଆଉ କିଛି ଦସ୍ତାବିଜ ଗଣମାଧ୍ୟମର ହସ୍ତଗତ ହୋଇଛି। ଏହି ତଥ୍ୟ ଅନୁଯାୟୀ ଆଉ କିଛି ନୂଆ କଳା କାରବାରୀଙ୍କ ନାମ ସାମ୍ନାକୁ ଆସିଛି।
୧୨ଲକ୍ଷରୁ ଊଦ୍ଧ୍ୱର୍ ଦସ୍ତାବିଜକୁ ବିଶ୍ୱର ପ୍ରମୁଖ ସାମ୍ବାଦିକ ଅନୁନ୍ଧ୍ୟାନ କରିବା ସହ ତନ୍ମଧ୍ୟରୁ ୧୨୦୦୦ଦସ୍ତାବିଜ ଭାରତୀୟ ଧନ କୁବେର ସମ୍ପର୍କିତ ବୋଲି ପୁଷ୍ଟି କରିଛନ୍ତି। ଦୁଇ ବର୍ଷ ପୂର୍ବେ ପାନାମା ପେପର ଦ୍ୱାରା ହୋଇଥିବା ଖୁଲାସାରେ ୫୦୦ଭାରତୀୟଙ୍କ ନାମରେ ସାମ୍ନାକୁ ଆସିଥିଲା। ସେତେବେଳେ କେନ୍ଦ୍ର ସରକାର ପକ୍ଷରୁ ଏକ ମଲ୍ଟି ଏଜେଣ୍ଟ ଗ୍ରୁପର ନିର୍ମାଣ କରି ୪୨୬ଭାରତୀୟଙ୍କ ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଥିଲେ। ଏହି ତଦନ୍ତରେ ୧୦୦୦କୋଟି କଳାଧନର ସୁରାକ ମିଳିଥିଲା।
ନୂଆ ଦସ୍ତାବିଜକୁ ଅନୁଧ୍ୟାନ କଲେ ଏଥିରେ ଏକାଧିକ ବଡ଼ ବ୍ୟବସାୟୀଙ୍କ ନାମ ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ପିଭିଆର ସିନେମା ମାଲିକ ଅଜୟ ବିଜଲି ଓ ତାଙ୍କ ପରିବାରବର୍ଗ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେହିପରି ହାଇକ ମ୍ୟାସେଞ୍ଜରର ମାଲିକ ତଥା ସିଇଓ ତଥା ଟେଲିକମ ଦିଗଜ ସୁନୀଲ ମିତ୍ତଲଙ୍କ ଝିଅ କବୀନ ମିତ୍ତଲଙ୍କ ନାମ ମଧ୍ୟ ନୂଆ ପାନାମା ତାଲିକାରେ ରହିଛି। ସେହିପରି ଏସିଆନ ପେଣ୍ଟ୍ସ କମ୍ପାନୀ ମାଲିକ ଅଶ୍ୱିନୀ ଦାନୀଙ୍କ ପୁଅ ଜଲଜ ଦାନୀଙ୍କ ନାମ ମଧ୍ୟ ତାଲିକାରେ ରହିଛି।
ପାନାମା ଲିକର ପ୍ରଥମ ଖୁଲାସାରେ ଭାରତର ଏକାଧିକ ବ୍ୟବସାୟୀ ବିଦେଶରେ ଥିବା ଟିକସ ଛାଡ଼ ଦେଶଗୁଡ଼ିକରେ ସେମାନଙ୍କ ଅର୍ଥକୁ ଲୁଚାଇ ରଖିଥିବା ଅଭିଯୋଗ ଉଠିଥିଲା। ଏହାକୁ ସମ୍ପୃକ୍ତ ବ୍ୟବସାୟୀମାନେ ଖଣ୍ଡନ ମଧ୍ୟ କରିଥିଲେ। ନୂଆ ତାଲିକା ସାମ୍ନାକୁ ଆସିବା ପରେ ପୁରାତନ ଧନ କୁବେରଙ୍କ ଉପରେ ଉଠିଥିବା ଅଭିଯୋଗ ଏକ ପ୍ରକାର ସତ୍ୟ ପ୍ରମାଣିତ ହେବାକୁ ଲାଗିଛି।