ଉଦ୍ଘାଟନ ଅପେକ୍ଷାରେ ଇଣ୍ଡୋର ଷ୍ଟାଡିୟମ, ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ମୁଖ୍ୟ ଷ୍ଟାଡିୟମ
ଆଠଗଡ : ଆଠଗଡରେ ପ୍ରାୟ ୪କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟ ଗତ ଫେବୃଆରୀ ମାସରୁ ଶେଷ ହୋଇଥିବାବେଳେ ତାହା ଉଦ୍ଘାଟନ ଅପେକ୍ଷାରେ ରହିଛି । ଅନ୍ୟ ପଟେ ତାର ନିକଟରେ ଥିବା ଆଠଗଡର ବହୁ ପୁରାତନ ମୁଖ୍ୟ ଷ୍ଟାଡିୟମଟି ଜରାଜୀର୍ଣ୍ଣ ଅବସ୍ଥାରେ କ୍ରୀଡା ଅନୁପଯୋଗୀ ହୋଇ ପଡିରହିଛି । ଏହି ମୁଖ୍ୟ ଷ୍ଟାଡିୟମଟିର ଉନ୍ନତିକରଣ ପାଇଁ ବାରମ୍ବାର ଦାବି ସତ୍ତ୍ବେ ସରକାର ତଥା ସ୍ଥାନୀୟ ଜନପ୍ରତିନିଧି କର୍ଣ୍ଣପାତ କରୁନଥିବାରୁ କ୍ରୀଡାପ୍ରେମୀଙ୍କ ମନରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି । ୧୯୮୦ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଆଠଗଡ ବିଧାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ ଆଠଗଡର ରାଜାରାଜୁଡା ଅମଳର ଉଡାଜାହାଜ ପଡିଆକୁ ଏକ ବିଶାଳ ଷ୍ଟାଡିୟମରେ ରୂପାନ୍ତରିତ କରାଯାଇଥିଲା । ଏହି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ବିଶେଷକରି ଫୁଟବଲ ଓ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଥିଲା । ଆଠଗଡର ବିଭିନ୍ନ କ୍ରୀଡା ସଂଗଠନର ସଦସ୍ୟ ନିୟମିତ ସେଠାରେ ଖେଳ ଅଭ୍ୟାସ କରୁଥିଲେ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଷ୍ଟାଡିୟମଟିର ଅବସ୍ଥା ଶୋଚନୀୟ ହୋଇପଡିଥିଲା। ୨୦୦୦ରୁ ୨୦୦୪ମସିହା ମଧ୍ୟରେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କ୍ରୀଡା ମନ୍ତ୍ରୀ ଥିବାବେଳେ ଉକ୍ତ ଷ୍ଟାଡିୟମର ଉନ୍ନତୀକରଣ ଲାଗି ୪ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। କିନ୍ତୁ ଉକ୍ତ ଅର୍ଥ ଠିକ୍ ଭାବରେ ବିନିଯୋଗ ନହେବାରୁ ଷ୍ଟାଡିୟମର ଅବସ୍ଥା ସୁଧୁରିନଥିଲା। ପୁନର୍ବାର ୨୦୧୫ ମସିହାରେ ଉକ୍ତ ଷ୍ଟାଡିୟମର ଉନ୍ନତି ଓ ନବୀକରଣ ପାଇଁ ପ୍ରାୟ ୮୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସେଥିରୁ ଅର୍ଦ୍ଧାଧିକ ଅର୍ଥ ବ୍ୟୟରେ କାର୍ଯ୍ୟାଦେଶ ପାଇଥିବା ଠିକାଦାର କିଛିଟା ଉନ୍ନତିକରଣ କାର୍ଯ୍ୟ କରିଥିବାବେଳେ କୌଣସି ଅଜଣା କାରଣରୁ ସଂପୃକ୍ତ ଠିକାଦାର କାମ ଅଧାରୁ ଛାଡି ଚାଲିଯାଇଥିଲେ। ବାକି ବଞ୍ଚିଥିବା ଅର୍ଥ ଠିକ୍ ଭାବରେ ବିନିଯୋଗ ନକରାଯାଇ ଆତ୍ମସାତ୍ କରାଯାଇଥିବା ଆଠଗଡର କ୍ରୀଡାପ୍ରେମୀ ଅଭିଯୋଗ କରୁଛନ୍ତି।
ଉକ୍ତ ଷ୍ଟାଡିିୟମକୁ ଏକ ଉନ୍ନତ କ୍ରିକେଟ ଷ୍ଟାଡିୟମ ଭାବେ ପରିଣତ କରାଗଲେ ସେଥିରେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯେପରିକି ରଣଜୀ ଟ୍ରଫି ଖେଳାଯାଇ ପାରନ୍ତା ବୋଲି ବିଭିନ୍ନ କ୍ରିକେଟ କ୍ଲବ ପକ୍ଷରୁ କୁହାଯାଇଛି । କଟକଠାରୁ ସ୍ୱଳ୍ପ ଦୂରତା ମଧ୍ୟରେ ରହୁଥିବା ଆଠଗଡର ଏହି ଷ୍ଟାଡିୟମର ଉନ୍ନତିକରଣ କରାଗଲେ ଏଠାରେ ସେହିସବୁ ଜାତୀୟ ଓ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇପାରନ୍ତା । କିନ୍ତୁ ମୁଖ୍ୟ ଷ୍ଟାଡିୟମର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନନିଆଯାଇ ତା ନିକଟରେ ଏକ ବିଶାଳ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ କ୍ରୀଡାପ୍ରେମୀ ସ୍ୱାଗତ କରୁଥିଲେ ମଧ୍ୟ ମୁଖ୍ୟ ଷ୍ଟାଡିୟମର ଏହି ଅବହେଳିତ ଅବସ୍ଥା ଦେଖି ସେମାନେ ଦୁଃଖ ପ୍ରକାଶ କରୁଛନ୍ତି । ମୁଖ୍ୟ ଷ୍ଟାଡିୟମ ମଧ୍ୟସ୍ଥ ପଡିଆରେ ଅନାବନା ଗଛ ଓ ଗୁଗୁଚି ଘାସରେ ପରିପୂର୍ଣ୍ଣ ହୋଇ ଷ୍ଟାଡିୟମଟି ଏକ ଝାଟି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ତା ମଧ୍ୟରେ ପ୍ରତିଦିନ ଶହ ଶହ ଗାଈଗୋରୁ ଚରୁଛନ୍ତି । ସନ୍ଧ୍ୟା ହେବା ମାତ୍ରେ ସେଠାରେ ନିଶାଡିଙ୍କ ଆଡ୍ଡା ଜମୁଛି । ଅସାମାଜିକ ତତ୍ତ୍ୱ ପ୍ରତିଦିନ ସେଠାରେ ମଦ୍ୟପାନ କରି କାଚ ବୋତଲ ଭାଙ୍ଗି ଇତଃସ୍ତତ ପକାଉଥିବାରୁ ସକାଳେ ପ୍ରାତଃ ଭ୍ରମଣ କରିବାକୁ ଯାଉଥିବା ବରିଷ୍ଠ ନାଗରିକ ଓ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଷ୍ଟାଡିୟମ ମଧ୍ୟରେ ପାଣି କାଦୁଅ ଜମି ରହୁଥିବାରୁ ସ୍ୱାଧୀନତା ଦିବସରେ ଉପଖଣ୍ଡସ୍ତରୀୟ ଉତ୍ସବ ହୋଇପାରୁନାହିଁ। ଏହି ସବୁକୁ ଦୃଷ୍ଟିରେ ରଖି ଏବଂ କଟକ ସହରଠାରୁ ମାତ୍ର ୩୦କିମି ଦୂରତା ମଧ୍ୟରେ ଥିବା ଆଠଗଡ ସହରର ମୁଖ୍ୟ ଷ୍ଟାଡିୟମକୁ ଏକ ଉନ୍ନତ କ୍ରିକେଟ ଷ୍ଟାଡିୟମରେ ପରିଣତ କରିବାକୁ ବିଭିନ୍ନ ମହଲରୁ ବିଶେଷକରି କ୍ରୀଡାବିତ୍ଙ୍କ ପକ୍ଷରୁ ଦାବି ହେଉଛି ।
Comments are closed.