୧୭୩ ସୀମାନ୍ତ ଓ ତଟବର୍ତୀ ଜିଲାରୁ ଏନସିସିରେ ସାମିଲ ହେବେ ଆଉ ଲକ୍ଷେ କ୍ୟାଡ଼େଟ୍
ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକରୁ ଆଉ ୧ ଲକ୍ଷ କ୍ୟାଡ଼େଟଙ୍କୁ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି)ରେ ସାମିଲ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି । ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍ସିସିର ଏହି ସଂପ୍ରସାରଣ ସଂପର୍କରେ ସୂଚନା ଦେଇଥିଲେ ।
ଏହି ସଂପ୍ରସାରିତ ଯୋଜନା ଅନୁସାରେ ଦେଶର ୧୭୩ ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାରୁ ଏକ ଲକ୍ଷ କ୍ୟାଡଟଙ୍କୁ ଏନ୍ସିସିରେ ଭର୍ତ୍ତି କରାଯିବ । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା କ୍ୟାଡେଟ ରହିବେ । ଏହିସବୁ ଜିଲ୍ଲାଗୁଡିକରେ ଏକ ହଜାରରୁ ଅଧିକ ସ୍କୁଲ ଓ କଲେଜକୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏହିସବୁ ଶିକ୍ଷାନୁଷ୍ଠାନରେ ଏନ୍ସିସି ଆରମ୍ଭ କରାଯିବ । ଯୋଜନା ଅନୁସାରେ ବର୍ତ୍ତମାନର ୮୩ଟି ଏନସିସି ୟୁନିଟ ଉନ୍ନୀତ ହେବ । ସେଥିମଧ୍ୟରେ ସ୍ଥଳବାହିନୀର ୫୩, ନୌବାହିନୀର ୨୦ ଓ ବିମାନ ବାହିନୀର ୧୦ଟି ଲେଖାଏଁ ୟୁନିଟ ଅନ୍ତର୍ଭୁକ୍ତ । ଏହିସବୁ ୟୁନିଟ ସଂପୃକ୍ତ ସୀମାବର୍ତ୍ତୀ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏନ୍ସିସି ତାଲିମ ପ୍ରଦାନ କରିବେ ।
ସ୍ଥଳସେନା ପକ୍ଷରୁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ଏନ୍ସିସି ୟୁନିଟଗୁଡିକୁ ତାଲିମ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ । ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ନୌବାହିନୀ ପକ୍ଷରୁ ସଂପୃକ୍ତ ଏନସିସି ୟୁନିଟକୁ ସହାୟତା ଯୋଗାଇ ଦିଆଯିବ । ଯେଉଁ ଏନ୍ସିସି ୟୁନିଟଗୁଡିକ ବାୟୁସେନା ଘାଟିର ଆଖପାଖରେ ଥିବେ ସେଗୁଡିକୁ ବାୟୁସେନା ପକ୍ଷରୁ ସହାୟତା ପ୍ରଦାନ କରାଯିବ । ଏହା ଫଳରେ ଦେଶର ସୀମାନ୍ତ ଓ ତଟବର୍ତ୍ତୀ ଇଲାକାର ଯୁବକ ଯୁବତୀମାନେ ସାମରିକ ତାଲିମ ପାଇବାର ସୁଯୋଗ ପାଇବେ ଏବଂ ଏକ ଶୃଙ୍ଖଳିତ ଜୀବନଯାପନରେ ଏହା ସେମାନଙ୍କ ପାଇଁ ସହାୟକ ହେବ । ପ୍ରତିରକ୍ଷା ବାହିନୀରେ ଯୋଗଦେବାକୁ ଏହି ତାଲିମ ସେମାନଙ୍କୁ ଅନୁପ୍ରାଣିତ କରିବ । ରାଜ୍ୟଗୁଡିକ ସହ ଅଂଶୀଦାର ଭିତ୍ତିରେ ଏନ୍ସିସିର ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ ହେବ ।
Comments are closed.