୧୮୯୭ ମସିହାରେ ଜନ୍ମିତ ସୁଭାଷଙ୍କ ଜନ୍ମସ୍ଥାନ କଟକ ସେତେବେଳେ ଥିଲା ଆଧୁନିକ ପାଶ୍ଚାତ୍ୟ ସଭ୍ୟତା ଓ ଶିକ୍ଷାଠାରୁ ବହୁ ଦୂରରେ। ମାତା ପ୍ରଭାବତୀ ଓ ପିତା ଜାନକୀନାଥଙ୍କ ଚଉଦଟି ସନ୍ତାନ ମଧ୍ୟରୁ ନବମ ସନ୍ତାନ ଥିଲେ ସୁଭାଷ। ଜନ୍ମସ୍ଥାନର ପରିବେଶ, ପିତାମାତାଙ୍କ ପ୍ରଭାବ ଓ ପାରିବାରିକ ଜୀବନ ସୁଭାଷଙ୍କର ଭବିଷ୍ୟତର ଧାର୍ମିକ, ରାଜନୈତିକ ଓ ଅଧ୍ୟାତ୍ମିକ ଚିନ୍ତାଧାରାକୁ ପ୍ରଭାବିତ କରିଥିଲା। ଏହି ପରିବେଶରେ ସେ ଭକ୍ତି, ପ୍ରେମ, ମୈତ୍ରୀ, ସାମ୍ୟ ଓ ସହନଶୀଳତା ପ୍ରଭୃତି ମାନବିକ ଗୁଣାବଳୀ ଦ୍ବାରା ସାମ୍ୟ ଓ ସମାଜବାଦର ଯେଉଁ ମୌଳିକ ତଥ୍ୟ ଲାଭ କରିଥିଲେ ତାହା ଭବିଷ୍ୟତରେ ତାଙ୍କଠାରେ ସମାଜବାଦୀ ଭାବଧାରାର ଉନ୍ମେଷ ଘଟାଇଥିଲା।
ବାଲ୍ୟକାଳରେ ନିଜର ମାତା ଓ ଦୀକ୍ଷାଗୁରୁଙ୍କଠାରୁ ସନ୍ଥ ରାମକୃଷ୍ଣ ଓ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ସୁଭାଷଙ୍କୁ ସାମ୍ୟ, ମୈତ୍ରୀ ଓ ଭ୍ରାତୃତ୍ବର ଯେଉଁ ତତ୍ତ୍ବ ପ୍ରଦାନ କରିଥିଲା, ତାହା ଥିଲା ତାଙ୍କ ଭବିଷ୍ୟତର ସାମ୍ୟବାଦୀ ଚିନ୍ତାଧାରାର ମୂଳଉତ୍ସ। ବିବେକାନନ୍ଦଙ୍କ ବାର୍ତ୍ତାର ସାରମର୍ମ ‘ଆତ୍ମାନୋମୋକ୍ଷାର୍ଥଂ ଜଗତ୍ ହିତାୟ ଚଃ’ ଅର୍ଥାତ୍ ‘ସମଗ୍ର ମାନବ ସମାଜର କଲ୍ୟାଣ ହିଁ ନିଜର ମୁକ୍ତି’ ବାଲ୍ୟଜୀବନରୁ ସୁଭାଷଙ୍କୁ ଜଣେ ମହାନ ସାମ୍ୟବାଦୀ ରୂପେ ପ୍ରତିଷ୍ଠିତ କରିଥିଲା। ନିଜର ଶାରୀରିକ ଓ ଶିକ୍ଷାଗତ ଉତ୍କର୍ଷ ଅପେକ୍ଷା ପଡ଼ୋଶୀମାନଙ୍କ ଭଲମନ୍ଦ ବୁଝିବାରେ ବାଲ୍ୟକାଳରୁ ତାଙ୍କର ଗଭୀର ଅନୁରାଗ ଥିଲା। ସେଥିପାଇଁ ନିଜର ସହପାଠୀ ଓ କେତେକ ଉତ୍ସାହୀ ବନ୍ଧୁଙ୍କ ସହ ସେ ନିକଟସ୍ଥ ବସନ୍ତ ଓ ହଇଜା ପ୍ରପୀଡ଼ିତ ଗ୍ରାମମାନଙ୍କୁ ଯାଇ ପୀଡ଼ିତମାନଙ୍କ ସେବାରେ ନିଜକୁ ନିୟୋଜିତ କରୁଥିଲେ। କଟକସ୍ଥିତ ଇଂରାଜୀମାଧ୍ୟମ ପ୍ରୋଟେଷ୍ଟାଣ୍ଟ ୟୁରୋପିଆନ ସ୍କୁଲରେ ଅଧ୍ୟୟନ ସମୟରେ ଖ୍ରୀଷ୍ଟିଆନ ପାଦ୍ରୀ ଶିକ୍ଷୟିତ୍ରୀମାନଙ୍କ ପ୍ରଭାବ ମଧ୍ୟ ତାଙ୍କ ଉପରେ ପଡ଼ିଥିଲା। ଏହି ପ୍ରଭାବ ହେତୁ ତାଙ୍କଠାରେ ସର୍ବଧର୍ମ ସମନ୍ବୟର ଦୃଷ୍ଟିକୋଣ ଉଦ୍ରେକ ହୋଇଥିଲା। ଜୀବନର ପ୍ରାରମ୍ଭରୁ ‘ବସୁଧୈବ କୁଟୁମ୍ବକମ୍’ ଓ ‘ସର୍ବେ ଭବନ୍ତୁ ସୁଖିନଃ’, ପ୍ରଭୃତି ଉଚ୍ଚକୋଟୀର ଉପନିଷଦୀୟ ଚିନ୍ତାଧାରା ତାଙ୍କ ମାନବିକ ଓ ଗତାନୁଗତିକ ମୂଲ୍ୟବୋଧ ଏବଂ ସମାଜବାଦୀ ଆଦର୍ଶକୁୁ ଅନୁପ୍ରାଣିତ କରିଥିଲା।
ଗାନ୍ଧିଜୀଙ୍କ ନେତୃତ୍ବରେ ୧୯୪୨ ପୂର୍ବର ଭାରତୀୟ ଜାତୀୟ କଂଗ୍ରେସର ମୁକ୍ତିସଂଗ୍ରାମର କାର୍ଯ୍ୟକ୍ରମଗୁଡ଼ିକ ଯେଭଳି ମନ୍ଥର ଓ ଶିଥିଳ ଗତିରେ ପରିଚାଳିତ ହେଉଥିଲା, ସେଥିରେ ସ୍ବାଧୀନତା ପ୍ରାପ୍ତି ସମ୍ଭବ – ଏ ଭରସା ନେତାଜୀଙ୍କଠାରେ ନଥିଲା। ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି’ – ଏହି ବୈପ୍ଳବିକ ଚିନ୍ତାଧାରା ସହିତ ଆଉ କେତୋଟି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ସେ ଅନୁଭବ କରୁଥିଲେ।
ତାଙ୍କ ପରିକଳ୍ପିତ ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଥିଲା: ଚାଷୀ ଓ ଶ୍ରମିକମାନଙ୍କୁ ଏକ ସମାଜବାଦୀ କାର୍ଯ୍ୟକ୍ରମ ଅନୁଯାୟୀ ସଙ୍ଗଠିତ କରିବା, କଠୋର ଶୃଙ୍ଖଳାର ସହ ଏକ ଦେଶପ୍ରେମୀ ଯୁବ ସ୍ବଚ୍ଛାସେବୀ ବାହିନୀ ଗଠନ କରିବା, ଜାତି ପ୍ରଥାର ବିଲୋପ ପୂର୍ବକ ବିଭିନ୍ନ ପ୍ରକାର ସାମାଜିକ ଓ ଧାର୍ମିକ ଅପସଂସ୍କୃତିଗୁଡ଼ିକର ପ୍ରତ୍ୟାଖ୍ୟାନ, ନାରୀ ସମାଜକୁ ସଙ୍ଗଠିତ ଓ ସଚେତନ କରିବା, ବ୍ରିଟିଶ ବା ବିଦେଶୀ ପଦାର୍ଥର ବର୍ଜନ ଏବଂ ପ୍ରଚାରଧର୍ମୀ ସାହିତ୍ୟର ସୃଜନା ସହ ଏକ ନିଃସ୍ବାର୍ଥପର ଯୁବ ସେବାବାହିନୀ ଗଠନ।
ବିଂଶ ଶତାବ୍ଦୀର ଏସୀୟ ଓ ଆଫ୍ରିକୀୟ ଦେଶଗୁଡ଼ିକ ୟୁରୋପୀୟ ଦେଶମାନଙ୍କ ଦ୍ବାରା ଯେଭଳି ସାମ୍ରାଜ୍ୟବାଦର ଶିକାର ହୋଇ ଶୋଷଣ ଓ ଅତ୍ୟାଚାରରେ ଶତାବ୍ଦୀଶତାବ୍ଦୀ ବ୍ୟାପୀ ଉତ୍ପୀଡ଼ିତ ହେଉଥିଲେ, ନେତାଜୀ ତା’ର ତୀବ୍ର ବିରୋଧୀ ଥିଲେ। ସମଗ୍ର ମାନବଜାତିର ମୁକ୍ତି ଓ ସ୍ବାଧୀନତାର ଜଣେ ପରମ ପୃଷ୍ଠପୋଷକ ରୂପେ ସେ ସାମ୍ରାଜ୍ୟବାଦୀଙ୍କ ଦାସତ୍ବ ଶୃଙ୍ଖଳରୁ ସେହି ଉତ୍ପୀଡ଼ିତ ଦେଶଗୁଡ଼ିକୁ ମୁକ୍ତ କରିବା ପାଇଁ ଯେଉଁ ଆନ୍ଦୋଳନର ସନ୍ଦେଶ ଦେଇଥିଲେ, ତାହା ତାଙ୍କ ଗଠିତ ‘ଫରୱାର୍ଡ ବ୍ଲକ’ ଓ ‘କିଷାନ୍ ସଭା’ ତରଫରୁ ଏହାର ସଭାପତି ରୂପେ ମୁକ୍ତି ଓ ବିପ୍ଳବର ବାର୍ତ୍ତା ପ୍ରେରଣ କରିବାରେ ସହାୟତା କରିଥିଲା।
୧୯୪୦ ମାର୍ଚ୍ଚ ୧୯ ତାରିଖ ଦିନ ପୃଥିବୀର ସମଗ୍ର ସାମ୍ରାଜ୍ୟବାଦୀମାନଙ୍କ ବିରୋଧରେ ଉଦ୍ବୋଧନ ଦେଇ ସେ କହିଥିଲେ- ‘ସାମ୍ରାଜ୍ୟବାଦ ଯୁଗର ଅବସାନ ତଥା ଅବକ୍ଷୟ ଘଟିବାକୁ ଯାଉଛି। ସ୍ବାଧୀନତା, ଗଣତନ୍ତ୍ର ଓ ସମାଜବାଦ ଅସ୍ପଷ୍ଟ ରୂପେ ଆମ ସମ୍ମୁଖରେ ବର୍ତ୍ତମାନ ପରିପୁଷ୍ଟ। ଏହି ବାର୍ତ୍ତାର ସଫଳ କାର୍ଯ୍ୟକାରିତା ପାଇଁ ପ୍ରଥମେ ବ୍ରିିଟିଶ ସାମ୍ରାଜ୍ୟବାଦର ବିଲୋପ କରି ଭାରତୀୟ ଜନତାଙ୍କ ପାଇଁ ଜାତୀୟ ସ୍ବାଧୀନତା ହାସଲ ଅପରିହାର୍ଯ୍ୟ। ତାଙ୍କ ଉକ୍ତି ଅନୁଯାୟୀ ଆମର ସଂଗ୍ରାମ କେବଳ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ନୁହଁ,ବରଂ ସମଗ୍ର ବିଶ୍ବର ଶୋଷିତ ସାମ୍ରାଜ୍ୟବାଦର ଶିକାର ହୋଇଥିବା ଦେଶମାନଙ୍କ ପାଇଁ ଉଦ୍ଦିଷ୍ଟ। ଆମର ସଂଗ୍ରାମ କେବଳ ଭାରତର ସ୍ବାର୍ଥ ପାଇଁ ନୁହେଁ, ବରଂ ସଂଗ୍ରାମରତ ସମଗ୍ର ମାନବଜାତିର ମୁକ୍ତିପାଇଁ ଉଦ୍ଦିଷ୍ଟ।’
ଭାରତର ସଂଗ୍ରାମୀ ଯୁଗର ସମାଜବାଦୀ ଚିନ୍ତାନାୟକ ଯଥା- ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ ଓ ବିନୋବା ଭାବେଙ୍କ ଭଳି ଆଗଧାଡ଼ିର ସମାଜବାଦୀ ନେତାଙ୍କ ତୁଳନାରେ ନେତାଜୀଙ୍କ ସମାଜବାଦ ଭାରତୀୟ ଓ ପାଶ୍ଚାତ୍ୟ ସମାଜବାଦର ଏକ ଅପୂର୍ବ ସମନ୍ବୟରେ ସୃଷ୍ଟି। ନିଜର ସ୍ବଳ୍ପ ଜୀବନକାଳ ମଧ୍ୟରେ ଇଉରୋପର ପ୍ରଗତିଶୀଳ ଦେଶମାନଙ୍କରେ ଭ୍ରମଣ ତଥା ପାଶ୍ଚାତ୍ୟ ସମାଜବାଦୀ ଦର୍ଶନର ସମ୍ପର୍କ ଅଧ୍ୟୟନ ଫଳରେ ତାଙ୍କ ଭିତରେ ସୃଷ୍ଟି ହୋଇଥିଲା ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ସମାଜବାଦର ଅପୂର୍ବ ସମନ୍ବୟ।
ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ସାବରମତୀ ଆଶ୍ରମର ସମାଜବାଦୀ ଚିନ୍ତାଧାରାକୁ ସୁଭାଷ ପସନ୍ଦ କରୁନଥିଲେ। ତାଙ୍କ ମତରେ ସାବରମତୀ ଗୋଷ୍ଠୀର ଚିନ୍ତାଧାରାରେ ନ ଥିଲା ଆଧୁନିକତା। ତାହା ଥିଲା ପାଶ୍ଚାତ୍ୟ ଚିନ୍ତାଧାରା ପ୍ରତି ବିତୃଷ୍ଣା। ସେ ବିଶ୍ବାସ କରୁଥିଲେ ଯେ ଜୀବନଧାରଣ ମାନର ବିକାଶ ଓ ବ୍ୟକ୍ତିତ୍ବ, ରୁଚି ଓ ଚାହିଦାର ଅଭିବୃଦ୍ଧି ନ ଘଟିଲେ ଦେଶ ଆଗକୁ ବଢ଼ିପାରିବ ନାହିଁ।
ତାଙ୍କର ସମାଜବାଦୀ ଆଭିମୁଖ୍ୟ ଜାତୀୟ ସମ୍ବଳର ଅଭିବୃଦ୍ଧି, ବ୍ୟାପକ ଶିଳ୍ପାୟନ,ବିଜ୍ଞାନ ତଥା ବୈଷୟିକ ପ୍ରଯୁକ୍ତି ବିଦ୍ୟା ଓ ବାଣିଜ୍ୟର ପ୍ରସାର ଉପରେ ଆଧାରିତ ଥିଲା। କେବଳ ଜାତୀୟ ସମ୍ପଦର ସମବଣ୍ଟନକୁ ସମାଜବାଦ ବୋଲି ବୁଝାଯାଏ ନାହିଁ, ବରଂ ଏହାର ସମବଣ୍ଟନ ସହ ଜାତୀୟ ସମ୍ପଦର ଅଭିବୃଦ୍ଧି ଉପରେ ଏହା ନିର୍ଭର କରେ। ଭାରତୀୟ ଜନତାର ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ଜୀବନଧାରାକୁ ସୁହାଇଲା ଭଳି ଏକ ସମାଜବାଦର ପ୍ରତିଷ୍ଠା ଚାହୁଁଥିଲେ ସୁଭାଷ। ସ୍ବାଧୀନ ଭାରତରେ ଜାତୀୟ ସମ୍ପଦର ଉପଯୋଗ ପୁଞ୍ଜିବାଦୀ ଭୂମିପତି ଓ ଉଚ୍ଚନୀଚ ଜାତିଆଣ ଭାବ ପ୍ରତି ଆସକ୍ତ ନହୋଇ ବରଂ ଜାତି,ଧର୍ମ, ଶ୍ରେଣୀମତ, ନିର୍ବିଶେଷରେ ସାଧାରଣ ଜନତାଙ୍କ ସ୍ବାର୍ଥସମ୍ବଳିତ ଏକ ସମାଜବାଦୀ ରାଜନୈତିକ ଗଣତନ୍ତ୍ର ପ୍ରତିଷ୍ଠା ଥିଲା ତାଙ୍କ ଦୃଢ଼ ଆଶା ଓ ଲକ୍ଷ୍ୟ।
– ଅନନ୍ତ ଚରଣ ସାହୁ
୫୬୯, ନେତାଜୀ ନଗର, ସେଲଟର ଛକ, କଟକ



