ନିଟ୍‍ ପେପର ଲିକ୍‍: ମାଷ୍ଟରମାଇଣ୍ଡକୁ ଖୋଜୁଛି ସିବିଆଇ, ଅଭିଯୁକ୍ତମାନଙ୍କୁ ଘନଘନ ଚାଲିଛି ପଚରାଉଚରା

ନୂଆଦିଲ୍ଲୀ: ନିଟ୍‍ ପେପର ଲିକ୍‍ ମାମଲାରେ ଜୋରଦାର ତଦନ୍ତ କରୁଛି ସିବିଆଇ ଟିମ୍‍ । ପେପର ଲିକର ଖିଅ ଖୋଜିବା ପାଇଁ ସିବିଆଇର ଗୋଟିଏ ଟିମ୍‍ ହଜାରିବାଗରେ ଚଢଉ କରିଛି । ସେଠାରେ ଥିବା ଓଏସିସ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ମୋଟ ୭ଜଣଙ୍କୁ ପଚରାଉଚରା କରୁଛି ସିବିଆଇ । ପୂର୍ବରୁ ଏହି ମାମଲାରେ ୧୧ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ହେଲେ ବୁଧବାର ରାତିରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି । ଓଏସିସ ବିଦ୍ୟାଳୟରେ ନିଟ୍‍ ପରୀକ୍ଷା ପାଇଁ ସେଣ୍ଟର କରାଯାଇଥିଲା । ପେପର ଲିକ୍‍ ମାମଲାରେ ଏହି ବିଦ୍ୟାଳୟର କାର୍ଯ୍ୟଶୈଳୀ ଉପରେ ସିବିଆଇ ସନ୍ଦେହ କରିଛି । ସ୍କୁଲର ସଦସ୍ୟଙ୍କୁ ପଚରାଉଚରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ହାତରେ ଲାଗିଥିବା କୁହାଯାଉଛି ।
ଏହାବ୍ୟତୀତ ନିଟ୍‍ ପେପର ଲିକରେ ଗିରଫ ହୋଇଥିବା ଅଭିଯୁକ୍ତ ଏବଂ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ଲୋକେସନକୁ ମିଳାଉଛି ସିବିଆଇ । ଗତ ୬ମାସ ମଧ୍ୟରେ ଏମାନେ କେଉଁଠିକୁ ଯାଇଥିଲେ ଏବଂ କାହା କାହା ସହିତ କଥାବାର୍ତ୍ତା ହୋଇଥିଲେ ଏସବୁ ଖୋଳତାଡ କରୁଛି ଜାତୀୟ ତଦନ୍ତକାରୀ ବ୍ୟୁରୋ । ବିହାର ସମେତ ବିଭିନ୍ନ ରାଜ୍ୟରୁ ଗିରଫ ହୋଇଥିବା ଅଭିଯୁକ୍ତ କେବଳ ଠିକାଦାର ବୋଲି ସିବିଆଇ ସନ୍ଦେହ କରୁଛି । ଏହା ପଛରେ ଅନ୍ୟ କେହି ମାଷ୍ଟରମାଇଣ୍ଡ ରହିଥିବା ସିବିଆଇ ସନ୍ଦେହ କରୁଛି । ନିଟ୍‍ ପେପର ଲିକ୍‍ ମାମଲାରେ ଓଏସିସ୍‍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏନଟିଏର ଜିଲ୍ଲା ସଂଯୋଜକଙ୍କୁ ୨୦ ଘଣ୍ଟା ଧରି ପଚରାଉଚରା କରିଛି ସିବିିଆଇ । ସିବିଆଇର ଏକ ଟିମ୍‍ ହଜାରିବାଗରେ ଡେରା ପକାଇବା ସହ ସ୍ଥାନୀୟ ଗେଷ୍ଟ ହାଉସରେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି । ଆଜି ପୁଣି ସିବିଆଇ ଅଧିକାରୀମାନେ ଅନ୍ୟ ଏକ ସ୍ଥାନରେ ମାମଲାର ତଦନ୍ତ କରିବାକୁ ଯାଇପାରନ୍ତି ।

Comments are closed.