ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ମିଶନ ଶକ୍ତି ମଞ୍ଚର ସହାୟତା ରାଶି ହେରଫେର କରାଯାଇଥିବା ନେଇ ବିଡ଼ିଓଙ୍କ ଠାରେ ଅଭିଯୋଗ ହୋଇଛି। ଏପରିକି ଏହି ସମସ୍ୟାର ଆଗାମୀ ସାତ ଦିନ ମଧ୍ୟରେ ସମାଧାନ କରା ନ ଗଲେ ତହିଁ ପରଦିନ ବ୍ଲକ କାର୍ୟ୍ୟାଳୟରେ ତାଲା ମାରି ଆନ୍ଦୋଳନ କରିବାକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଚେତାବନୀ ଦେଇଛନ୍ତି। ପ୍ରାପ୍ତ ଖବର ଅନୁସାରେ ବ୍ଲକର ଗିରିଶ୍ଚନ୍ଦ୍ରପୁରର ଗ୍ରାମ ପଞ୍ଚାୟତର ବିଭିନ୍ନ ୯ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ପଞ୍ଚାୟତ ସ୍ତରୀୟ ମିଶନ ଶକ୍ତି ମହାମଞ୍ଚ ପରିଚାଳିତ ହୋଇଛି। ଜଳ ବିଭାଜିକା ମିଶନ ରେଢ଼ାଖୋଲ ତରଫରୁ ମଞ୍ଚର ସମସ୍ତ ଦଳକୁ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଥିଲା।
ଏହି ସହାୟତା ରାଶି ପଞ୍ଚାୟତର ସିଆରପି କଳ୍ପନା ଜାନିଙ୍କ ସିଏଲଏଫ ଆକାଉଣ୍ଟରେ ଜମା ହୋଇଥିଲା। ତେବେ ସମ୍ପୃକ୍ତ ସିଆରପି କୌଣସି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନ ଜଣାଇ ସେ ନିଜେ ଉଠାଣ କରିଦେଇଛନ୍ତି। ଏହା ଜାଣିବା ପରେ ସଂଘର ସଦସ୍ୟା ମାନେ ତାଙ୍କୁ ପଚାରିବାରୁ ଆଶାଳୀନ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମଞ୍ଚର ସଦସ୍ୟା ମାନେ ଗତ ୩ ତାରିଖରେ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ଏ ଦିଗରେ ପଦକ୍ଷେପ ନେବାକୁ ଦାବୀ କରିଥିଲେ।
ତେବେ ପ୍ରଶାସନ ପକ୍ଷରୁ ଆଜି ପର୍ୟ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ବୁଧବାର ଦିନ ଗିରିଶ୍ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଏସଏଚଜି ଗ୍ରୁପର ଶତାଧିକ ମହିଳା ନାକଟିଦେଉଳ ବିଡ଼ିଓଙ୍କ କାର୍ୟ୍ୟାଳୟ ଘେରାଉ କରି ଏହାର ତଦନ୍ତ ଦାବୀ ସହ ସମ୍ପୃକ୍ତ ଏମବିକେ ଏବଂ ସିଆରପିଙ୍କୁ ବହିଷ୍କୃତ କରି ନୂତନ ନିଯୁକ୍ତି ଦେବାକୁ ଦାବୀ କରି ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବିଡ଼ିଓ ଧନାଇ ଚରଣ ଟୁଡୁ ମହିଳା ମାନଙ୍କ ଦାବୀ ପତ୍ରକୁ ଗ୍ରହଣ କରିବା ସହ ଏ ଦିଗରେ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ଅନ୍ୟ ପକ୍ଷରେ ଆଗାମୀ ସାତ ଦିନ ମଧ୍ୟରେ ଯଦି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରେ, ପରଦିନ ବ୍ଲକ କାର୍ୟ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ମିଶନ ଶକ୍ତି ମଞ୍ଚର ସଦସ୍ୟା ମାନେ ଚେତାବନୀ ଦେଇଛନ୍ତି। ଗିରିଶ୍ଚନ୍ଦ୍ରପୁର ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀର କଳ୍ପନା ଭୋଇ,ସୁଜାତା ମହାପାତ୍ର,ବିମଳା ପ୍ରଧାନ, ବିନ୍ଧ୍ୟାବାସିନୀ ଗୋଷ୍ଠୀର ବାସନ୍ତୀ ବିଶ୍ୱାଳ, ମିନତୀ ସାହୁ, ଗାୟତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀର ପଦ୍ମିନୀ ଭୋଇ, ରଶ୍ମିତାକାଲୋ, ମାଆ ମଙ୍ଗଳା ଗୋଷ୍ଠୀର ଗୋମତୀ ପ୍ରଧାନ, ତାପସ୍ୱିନୀ କାଲୋଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ।



