ରାମ ମନ୍ଦିର, ସଂଖ୍ୟାଲଘୁ ଓ ଧାରା ୩୭୦ ସମେତ ଅନେକ ପ୍ରସଙ୍ଗରେ ମତ ରଖିଲେ ମୋହନ ଭାଗବତ

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତିନି ଦିନିଆ ବାଖ୍ୟାନମାଳା କାର୍ଯ୍ୟକ୍ରମ ‘ଭାରତର ଭବିଷ୍ୟତ’ର ଅନ୍ତିମ ଦିନରେ ସରସଂଘଚାଳକ ମୋହନ ଭାଗବତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ମୋହନ ଭାଗବତ ବିଶେଷ କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ସମଲିଙ୍ଗୀ ବିବାହ, ସଂରକ୍ଷଣ, ଜାତିପ୍ରଥା, ସଂଖ୍ୟାଲଘୁ, ଜାମ୍ମୁ କାଶ୍ମୀର ପାଇଁ ସମ୍ବିଧାନ ଧାରା ୩୭୦ ଓ ୩୫ (କ) ଆଦି ପ୍ରସଙ୍ଗରେ ନିଜ ମତ ରଖିଥିଲେ। ଏହି ଅବସରରେ ମୋହନ ଭାଗବତ କହିଥିଲେ ଯେ ଅଯୋଧ୍ୟାରେ ଖୁବ୍‍ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ଉଚିତ୍‍। ଜାମ୍ମୁ କାଶ୍ମୀର ପାଇଁ ସମ୍ବିଧାନ ଧାରା ୩୭୦ ଓ ୩୫-କ’କୁ ହଟାଇବା ସପକ୍ଷରେ ସଂଘ ଯୁକ୍ତି ଉପସ୍ଥାପନ କରି ଆସୁଛି। ଏହାସହ ମୋହନ ଭାଗବତ ଜାମ୍ମୁ କାଶ୍ମୀର ଏବଂ ଶିକ୍ଷା ନୀତି ଭଳି ଅନେକ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ। ଉପସ୍ଥିତ ଲୋକମାନେ ମୋହନଙ୍କୁ ୨୧୫ଟି ପ୍ରଶ୍ନ କରିଥିଲେ। ମୋହନ ଭାଗବତ କହିଥିଲେ ଯେ ଜାତି ବ୍ୟବସ୍ଥା କେବେ ଥିଲା, ଏବେ ଏହା ଅବ୍ୟବସ୍ଥା। ସାମାଜିକ ସମାନତା ଓ ସ୍ଥିରତାକୁ ବିଗାଡ଼ୁଥିବା ସମସ୍ତ ପ୍ରଥାକୁ ହଟାଇବା ଆବଶ୍ୟକ। ସଂଘ ଜାତିପ୍ରଥା ଉପରେ ବିଶ୍ୱାସ କରେନାହିଁ। ଗୋରକ୍ଷା ନାମରେ ଲୋକଙ୍କୁ ପିଟି ପିଟି ହତ୍ୟାକୁ ସେ ନିନ୍ଦା କରିଥିଲେ। ଆଇନ ହାତକୁ ନେବା, ଭଙ୍ଗାରୁଜା କରିବା ଅପରାଧ ଅଟେ। କିନ୍ତୁ ଗୋରକ୍ଷକ ଏବଂ ଉଗ୍ରବାଦୀଙ୍କ ତୁଳନା କରାଯାଇ ହେବନାହିଁ। ସମଲିଙ୍ଗୀ ବିବାହ ଉପରେ ମତ୍ୟବକ୍ତ କରି ସମୟର ସହ ସମାଜ ବଦଳିବା ଆବଶ୍ୟକ ବୋଲି ସେ କହିଥିଲେ। ସାମାଜିକ ଅସଙ୍ଗତି ହଟାଇବା ପାଇଁ ସଂଘ ସମ୍ବିଧାନର ସଂରକ୍ଷଣ ବ୍ୟବସ୍ଥାକୁ ସମର୍ଥନ ଦେଉଛି ବୋଲି ସେ କହିଥିଲେ। ସେହିପରି ଅଯୋଧ୍ୟାରେ ଖୁବ୍‍ଶୀଘ୍ର ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବା ଆବଶ୍ୟକ, ଏହା ଲୋକଙ୍କ ଆସ୍ଥାର ବିଷୟ ବୋଲି ସେ ମତବ୍ୟକ୍ତ କରିଥିଲେ।

Leave A Reply