ଦଣ୍ଡଯାତ୍ରା ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ୧ମୃତ,୧୦ଆହତ
ନୟାଗଡ଼: ଦଣ୍ଡଯାତ୍ରା ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି । ପରସ୍ପର ମଧ୍ୟରେ ଆକ୍ରମଣ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଆଇଆଇସିଙ୍କ ସହ କିଛି ପୁଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ନୟାଗଡ଼ରେ ଦଣ୍ଡଯାତ୍ରା ଶୋଭାଯାତ୍ରା ବେଳେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି । ମୃତକ ହେଲେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ା । ସୂଚନା ଅନୁସାରେ, ଗତକାଲି ରାତିରେ ଦୁର୍ଗା ପ୍ରସାଦ ଦେଉଳପଲ୍ଲୀ ଓ ସିନ୍ଦୁରିଆ ଗାଁର ଦଣ୍ଡ ଠାକୁରଙ୍କ ସହ ନୟାଗଡ଼ ସହର ପରିକ୍ରମା କରି ସିନ୍ଦୁରିଆ ଶିବ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଦେଉଳପଲ୍ଲୀ ଓ ସିନ୍ଦୁରିଆ ଗାଁ ଲୋକ ମୁହାଁମୁହିଁ ହୋଇଥିଲେ । ଦେଉଳପଲ୍ଲୀ ଗାଁର କିଛି ଯୁବକ ଦୁର୍ଗା ପ୍ରସାଦ ଗାଁର ନବୀନ ପରିଡ଼ାଙ୍କୁ ଅପହରଣ କରି ନେଇ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନାଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଦେଉଳ ପଲ୍ଲୀ ଗାଁ ନିକଟ ନେଳିଆ ପୋଖରୀ ରାସ୍ତାକଡ଼ରୁ ନବୀନ ପରିଡ଼ାଙ୍କ ମୃତଦେହ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାଣ୍ଡ ପରେ ଦୁର୍ଗା ପ୍ରସାଦ ଓ ଦେଉଳପଲ୍ଲୀ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୨ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Comments are closed.