ରାଜ୍ୟବାସୀଙ୍କୁ ବୁଝାଇବାର ବେଳ ଆସିଛି: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାର ଓଡ଼ିଶାର ମହାନଦୀ ପାଣି ବନ୍ଦ କରିଛନ୍ତି। ଫଳରେ ମହାନଦୀ ଶୁଖିବାକୁ ବସିଲାଣି। ଏ ବିଷୟରେ ବିଜେଡି କର୍ମୀମାନେ ରାଜ୍ୟବାସୀଙ୍କୁ ବୁଝାଇବାର ବେଳ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମହାନଦୀକୁ ବଞ୍ଚାଇବାକୁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିଛି। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆମେ ଟ୍ରିବ୍ୟୁନାଲ୍‍ ଗଠନ ପାଇଁ କହିଥିଲୁ। କିନ୍ତୁ କେନ୍ଦ୍ର ସରକାର ସହଯୋଗ କଲେ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏବେ କେନ୍ଦ୍ର ସରକାର ସେ ଦିଗରେ ପଦକ୍ଷେପ ନେଇଛନ୍ତି। ଏକଥା ରାଜ୍ୟବାସୀଙ୍କୁ ବୁଝାଇବାକୁ ପଡ଼ିବ। ବିଜେଡିର କର୍ମୀମାନେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ଏ କଥା ବୁଝାଇବାକୁ ଉଦ୍ୟମ କରନ୍ତୁ। ମହାନଦୀକୁ ବଞ୍ଚାଇବାକୁ ରାଜ୍ୟ ସରକାର ସବୁଜ ମହାନଦୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ମହାନଦୀର ଉଭୟ  ପାର୍ଶ୍ବରେ ବୃକ୍ଷରୋପଣ ହେବ ବୋଲି ସେ କହିଥିଲେ। ଏହି ଅବସରରେ ୧୬ ପୃଷ୍ଠା ସମ୍ବଳିତ ମହାନଦୀ ମହାସଂଗ୍ରାମ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

Leave A Reply