ପଞ୍ଚାୟତର ବିକାଶରେ ହିଁ ଦେଶର ବିକାଶ ସମ୍ଭବ – ତୋମାର

- ସ୍ଥାନୀୟ ଯୋଜନା ଆପ 'ଗ୍ରାମ ମାନଚିତ୍ର' ଶୁଭାରମ୍ଭ - ଓଡିଶାକୁ ମିଳିଲା ସଫଳତା

ନୂଆଦିଲ୍ଲୀ: ଦେଶରେ ଥିବା ଅଢେଇ ଲକ୍ଷ ପଞ୍ଚାୟତ ମଧ୍ୟରୁ ୨୪୦ଟି ପଞ୍ଚାୟତକୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ‘ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର ୨୦୧୯’ ପ୍ରଦାନ କରିଛନ୍ତି। ବିଜୟୀ ପଞ୍ଚାୟତ ଓ ତାର କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ନବ ଭାରତ ନିର୍ମାଣ ପାଇଁ ସମସ୍ତ ପଞ୍ଚାୟତକୁ ଆଗକୁ ବଢିବାକୁ ହେବ। ଗ୍ରାମ ପଞ୍ଚାୟତ ଓ ସରପଞ୍ଚମାନେ ସେମାନେ ପାଇଥିବା ଅଧିକାର ସମ୍ପୂର୍ଣ୍ଣ ଉପଯୋଗ କରିବା ଆବଶ୍ୟକ ଓ ପଞ୍ଚାୟତ ପାଇଁ ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ଯାହାଦ୍ୱାରା ସରକାରୀ ଯୋଜନାଗୁଡିକ ଫଳପ୍ରଦ ଭାବରେ କାର୍ଯ୍ୟାନ୍ୱୟନ ଲରାଯାଇପାରିବ।

ତୋମାର କହିଛନ୍ତି, ମତଦାତାମାନେ ସେମାନଙ୍କୁ ନିର୍ବାଚିତ କରି ଯେଉଁ ଉତ୍ତରଦାୟିତ୍ୱ ଦେଇଛନ୍ତି, ତାହା ସଫଳ ଭାବରେ କରିପାରିଲେ ଗୋଟିଏ ପଞ୍ଚାୟତ ଅନ୍ୟ ପଂଚାୟତକୁ ପ୍ରେରଣା ଯୋଗାଇ ପାରିବ। ଏହି ପୁରସ୍କାର ପ୍ରଦାନ ସମାରୋହରେ କର୍ଣ୍ଣାଟକ, ଛତିଶଗଡ଼, ଆସାମ ଏବଂ ତାମିଲନାଡୁର ପଞ୍ଚାୟତିରାଜ ମନ୍ତ୍ରୀ ଓ ସାରା ଦେଶର ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏଥିରେ ଦୀନ ଦୟାଲ ଉପାଧ୍ୟାୟ ସଶକ୍ତିକରଣ ପୁରସ୍କାର, ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗର୍ଵ ଗ୍ରାମସଭା ପୁରସ୍କାର, ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପୁରସ୍କାର, ସହଜ ସୁଲଭ ଗ୍ରାମ ପଞ୍ଚାୟତ ପୁରସ୍କାର ଏବଂ ଇ-ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ଏହି କ୍ରମରେ ୧୯୫ଟି ଜିଲ୍ଲା/ଗ୍ରାମପଞ୍ଚାୟତକୁ ଦୀନ ଦୟାଲ ଉପାଧ୍ୟାୟ ସଶକ୍ତିକରଣ ପୁରସ୍କାର, ୨୦ଟି ଗ୍ରାମ ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗର୍ଵ ଗ୍ରାମସଭା ପୁରସ୍କାର, ୬ଟି ରାଜ୍ୟକୁ ଇ-ପଞ୍ଚାୟତ ପୁରସ୍କାର, ୩ଟି ଗ୍ରାମ ପଞ୍ଚାୟତକୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପୁରସ୍କାର ଏବଂ ୨୨ଟି ଗ୍ରାମ ପଞ୍ଚାୟତକୁ ସହଜ ସୁଲଭ ଗ୍ରାମ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି ତୋମାର।

ଏଥିରେ ଓଡ଼ିଶାର ଗଂଜାମ ଜିଲ୍ଲା ଆସ୍କା ବ୍ଲକର ବଡଗାମ ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗର୍ଵ ଗ୍ରାମସଭା ପୁରସ୍କାର ଏବଂ ସମ୍ବଲପୁର ଜିଲ୍ଲା, ଗଂଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ, ଢେଙ୍କାନାଳର ଢେଙ୍କାନାଳ ସଦର ବ୍ଲକ, ଗଞ୍ଜାମର ଶେରଗଡ଼ ପଞ୍ଚାୟତ, ଅନୁଗୁଳର ସଇଦା ପଞ୍ଚାୟତ ଓ କେନ୍ଦ୍ରାପଡ଼ାର ଭାଗବତପୁର ପଞ୍ଚାୟତକୁ ଦୀନ ଦୟାଲ ଉପାଧ୍ୟାୟ ସଶକ୍ତିକରଣ ପୁରସ୍କାର ମିଳିଛି।

ଅନ୍ୟପକ୍ଷରେ ମନ୍ତ୍ରୀ ତୋମାର ସରକାରୀ ଯୋଜନାର ସହଜ ଉପଲବ୍ଧତା ପାଇଁ ଏକ ନୂଆ ଆପ ‘ଗ୍ରାମ ମାନଚିତ୍ର’ ଶୁଭାରମ୍ଭ କରିଛନ୍ତି।

Comments are closed.