ନନ୍ଦପୁରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି, ୪୭ ଅଭିଯୋଗର ବିଚାର

ନନ୍ଦପୁର: ନିର୍ବାଚନ ଲାଗି ବନ୍ଦ ଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ସୋମବାର ପୁନଃ ନନ୍ଦପୁର ବ୍ଲକରୁ ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍, ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବାଶିଷ ପଟ୍ଟନାୟକ, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ଜିଲ୍ଲା କ୍ରୀଡ଼ା ଅଧିକାରୀ ସନ୍ତୋଷ କୁମାର ସାହୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ରୋଗ ନିୟନ୍ତ୍ରଣ) ଡ ଶିବସାଇ ସ୍ୱରୂପ ପ୍ରମୁଖଙ୍କ ଉପସ୍ଥିତିରେ ଆୟୋଜିତ ଜନ ଶୁଣାଣିରେ ସମୁଦାୟ ୪୭ ଗୋଟି ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗର ବିଚାର କରାଯାଇ ଥିଲା।
ଅଭିଯୋଗ ଗୁଡ଼ିକ ମଧ୍ୟରେ ପଞ୍ଚାୟତ, ବ୍ଲକ, ଆରଡି ଓ ପିଡବ୍ଲୁଡି ବିଭାଗର ରାସ୍ତା ଗୁଡିକର ଦୂରବସ୍ଥା ଓ ନୂତନ ରାସ୍ତା ନିର୍ମାଣ, ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଗୁଡ଼ିକର ନିର୍ମାଣ, ମନରେଗା ଯୋଜନାରେ ଥିବା ଅସୁବିଧା, ପାନୀୟ ଜଳର ସମସ୍ୟା, ବିଗତ ଶିକ୍ଷାବର୍ଷରେ ନୈରାଶଜନକ ମାଟ୍ରିକ ଓ ଯୁକ୍ତ ଦୁଇ ଫଳାଫଳ, ନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇ ଛାତ୍ରୀ ନିବାସର ସୁରକ୍ଷା ନିମିତ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ଫାଟକ ମୁଁହ ଅଲଗା ପଟକୁ କରିବାକୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।
ପୂର୍ତ୍ତବିଭାଗ ଅଧିନରେ ଥାଇ ପାଡୁଆରୁ ଚାଟୁଆ ଦେଇ ଯାଇଥିବା ରାଜ୍ୟ ରାଜପଥରେ ସୃଷ୍ଟି ହେଉଥିବା କାଦୁଅମୟ ସ୍ଥିତି ହଟାଇବା, ଆବାସ ଗୃହ ଯୋଗାଣ, ନନ୍ଦପୁରରେ ସୃଷ୍ଟି ହେଉଥିବା ବିଦ୍ୟୁତ ବିଭ୍ରାଟ, ଜୀବନରୁ ମାରିଦେବାକୁ ଧମକ ପରେ ମହିଳା ଓ ଶିଶୁ ବିକାଶ ବିଭାଗ କର୍ମଚାରୀ ଭୟରେ ତିନି ଦୁର୍ଗମ ପଞ୍ଚାୟତର ତଦାରଖ କାର୍ଯ୍ୟ କରିବାକୁ ଅକ୍ଷମ ହେବା, ୨୩ ପଞ୍ଚାୟତ ସରପଞ୍ଚ ମିଳିତ ହୋଇ ନାଗେଶ୍ୱରି ପାହାଡ ଓ ଗୁମ୍ଫାର ସୁରକ୍ଷା ନିମିତ୍ତ ଜୈବିକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବାକୁ ଦାବିପତ୍ର ପ୍ରଦାନ କରିଥିଲେ।
ସମସ୍ତ ଅଭିଯୋଗର ବିଚାର କରି ଉପସ୍ଥିତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ତର୍ଜମା କରିବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଥିଲେ। ଜନ ଶୁଣାଣି ଶିବିର ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା ପରିଚାଳନା କରିଥିବା ବେଳେ ନନ୍ଦପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତ୍ତୁଲ ତହସିଲଦାର ଅନାଦି ଚରଣ ସାହୁ, ଏସଡିପିଓ ସମ୍ବିତ କୁମାର ମାଝୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଦୁବରାଜ ମୁର୍ମୁ, ସିଡିପିଓ ମିନତି ବାଳା ପଟ୍ଟନାୟକ, ବ୍ଲକ ଶିକ୍ଷାଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକ, କୃଷି, ଉଦ୍ୟାନ, ବନ ବିଭାଗ, ପ୍ରାଣୀଧନ ଗ୍ରାମ୍ୟ ଉନ୍ନୟନ, ସାମାଜିକ ସୁରକ୍ଷା, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments are closed.