ଭୁବନେଶ୍ବର : ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଶାସକ ଦଳକୁ ଏକାଧିକ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ତା’ର ରଣନୀତି ଚୂଡାନ୍ତ କରିଛି। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ବିଭିନ୍ନ ପ୍ରସଙ୍ଗକୁ ନେଇ ଚଳିତ ଅଧିବେଶନ ବେଶ ସରଗରମ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।
ସେପଟେ ସୋମବାର ପୂର୍ବାହ୍ଣରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବିଧାନସଭା ପରିସରସ୍ଥ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିଥିଲା। ବିଧାନସଭା ଅଧିବେଶନକୁ ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅନୁପସ୍ଥିତ ଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୈଠକରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିପିଆଇ(ଏମ୍) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
ଆଜିଠୁ ବିଧାନସଭା ଶୀତ ଅଧିବେଶନ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
Popular Categories



