ରଜରେ ନନ୍ଦନକାନନ ବୁଲିଲେ ୮୧ ହଜାର ପର୍ଯ୍ୟଟକ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଶେଷ ରଜ ଅର୍ଥାତ ରବିବାର ୩୦ ହଜାର ପର୍ଯ୍ୟଟକ ଆସିଥିଲେ। ସେମାନଙ୍କ ମଧ୍ୟରେ ଅଫ୍‌ଲାଇନରେ ୨୮ହଜାର ୩୨୨, ସଞ୍ଚାର ମାଧ୍ୟମରେ ୭୯୬, ହ୍ବାଟ୍ସଆପ୍‌ରେ ୧୧୮୫ ପର୍ଯ୍ୟଟକ ଟିକଟ ସଂଗ୍ରହ କରିଥିଲେ। ୯ ଜଣ ଭିନ୍ନକ୍ଷମ ବ୍ୟକ୍ତି ମାଗଣାରେ ପ୍ରବେଶ କରିଥିଲେ। ଅତ୍ୟଧିକ ଗରମ ସାଙ୍ଗକୁ ଗୁଳୁଗୁଳି ସତ୍ତ୍ବେ ରଜ ତିନି ଦିନରେ ମୋଟ ୮୧ ହଜାର ୭୨୦ଜଣ ପର୍ଯ୍ୟଟକ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବୁଲିବାକୁ ଆସିଥିବା ଜଣାପଡ଼ିଛି। ପହିଲି ରଜରେ ୧୭ହଜାର ୪୪୬, ଦ୍ବିତୀୟ ଦିନରେ ୨୮ ହଜାର ୫୨୦ ପର୍ଯ୍ୟଟକ ଆସିଥିଲେ। ଶେଷ ରଜରେ ୩୦ ହଜାର ୩୨୩ ପର୍ଯ୍ୟଟକ ଆସିଥିଲେ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରଜ ତିନିଦିନରେ ୨୭ ହଜାର ୩୧୮ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି। ରଜ ତିନିଦିନରେ ଉଭିଦ ଉଦ୍ୟାନକୁ ୫୪୩୧ ଜଣ ପର୍ଯ୍ୟଟକ ଆସିଥିଲେ। ପହିଲି ରଜରେ ୧୫୭୯, ଦ୍ବିତୀୟ ରଜରେ ୧୮୮୭ ଓ ଶେଷ ରଜରେ ୧୯୬୫ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ ବୋଲି ଟିକଟ ବିକ୍ରିରୁ ଜଣାପଡିଛି। ପର୍ଯ୍ୟଟକ, ଯାନବାହନ ସହ ଭିଡିଓ ସୁଟିଂ ବାବଦରେ ୫୮ହଜାର ୮୪୦ଟଙ୍କା ରାଜସ୍ବ ଆଦାୟ ହୋଇଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରଜ ତିନି ଦିନରେ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ହାରାହାରି ୩୫୬୯ଜଣ ପର୍ଯ୍ୟଟକ ଅଧିକ ଆସିଥିଲେ। ପ୍ରାଣୀଉଦ୍ୟାନରେ ପ୍ରଥମ ଓ ଦ୍ବିତୀୟ ରଜରେ ବିଭିନ୍ନ ବିଶ୍ରାମ ସ୍ଥଳୀରେ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ଆବଶ୍ୟକ ମୁତାବକ ପାଣି ଆସୁ ନଥିଲା। ଫଳରେ ପର୍ଯ୍ୟଟକ ପାଣି ପାଇଁ ହନ୍ତସନ୍ତ ହୋଇଥିଲେ। ପାଣି ସମସ୍ୟା ଖବର ‘ସମାଜ’ରେ ପ୍ରକାଶିତ ହେବାପରେ ନନ୍ଦନକାନନ ଉପନିର୍ଦେଶକ ଶ୍ରୀ ନାରାୟଣ ରବିବାର ନିଜ ତତ୍ତ୍ବାବଧାନରେ ପ୍ରାଣୀଉଦ୍ୟାନରେ ୧୨ଟି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ, ୨୫ଟି ଅସ୍ଥାୟୀ ପାନୀୟଜଳ କେନ୍ଦ୍ର ଖୋଲିବା ସହିତ ୨ଟି କ୍ୟାଣ୍ଟର ଓ ବ୍ୟାଟେରିଚାଳିତ ଗାଡ଼ି ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିଥିଲେ। ଫଳରେ ରବିବାର ପ୍ରାଣୀଉଦ୍ୟାନକୁ ଆସିଥିବା ୩୦,୩୨୩ ପର୍ଯ୍ୟଟକ ପାଣି ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିବା ଜଣାପଡ଼ିଛି। ଏହାସହ ସରୀସୃପ ଉଦ୍ୟାନ ଭିତରେ ବନ୍ଦ ଥିବା ବ୍ୟାରିକେଡ ଖୋଲା ଯାଇଥିଲା। ଫଳରେ ପର୍ଯ୍ୟଟକ ଆନାକୋଣ୍ଡା, ବିଭିନ୍ନ ପ୍ରଜାତିର କୁମ୍ଭୀର ଓ କଇଁଛ ଦେଖିବାର ସୁଯୋଗ ପାଇଥିଲେ।

Comments are closed.