Patra electronics

ଖୋଲିଲା ନନ୍ଦନକାନନ

ନନ୍ଦନକାନନ: ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମଙ୍ଗଳବାର ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ଡିସେମ୍ବର ୩୦ରୁ ଜାନୁଆରୀ ୩ ତାରିଖ ୫ଦିନ ପାଇଁ ଏହା ବନ୍ଦ ରଖାଯାଇଥିଲା । ଉଭୟ ଉଦ୍ୟାନ ଆଜି ଖୋଲିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଯାଇଥିଲା । ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନର ୨୧୩ ଖୁଆଡ଼ରେ ରହୁଥିବା ୧୬୧ ପ୍ରଜାତିର ୩୮୭୦ ପଶୁପକ୍ଷୀଙ୍କୁ ବୁଲି ଦେଖିଥିଲେ । ବ୍ୟାଟେରିଚାଳିତ ଗାଡ଼ିରେ ବସିବା ସହ ସଫାରୀ ବସ୍‌ରେ  ବାଘ, ସିଂହ, ଭାଲୁ ଓ ତୃଣଭୋଜି ପ୍ରାଣୀଙ୍କୁ ଦେଖିବାର ମଜା ଉଠାଇଥିଲେ। ରାଜ୍ୟ ଉଦ୍ଭିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ)ରେ ବିଭିନ୍ନ ପ୍ରଜାତିର ବୃକ୍ଷଲତା ସହ ଗୋଲାପ, ପ୍ରଜାତି, ମୋଗଲ, କାଚଘର, ବୁଦ୍ଧ ଆଦି ବଗିଚା ବୁଲି ଦେଖିଥିଲେ। ପିଲାମାନେ ଶିଶୁ ଉଦ୍ୟାନରେ ଦୋଳି, ଚକ୍ରି, ଖସଡ଼ା ଖେଳି ମଜା ଉଠାଇଥିଲେ ।

ବଣଭୋଜି ବନ୍ଦ ଥିବାରୁ ଉଦ୍ୟାନକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିନଥିବା ଦେଖିବାକୁ ମିଳିଥିଲା। ଉଭୟ ଉଦ୍ୟାନରେ ସାମାଜିକ ଦୂରତ୍ବ ସହ ସାନିଟାଇଜ୍, ଥର୍ମାଲ ସ୍କ୍ରିନିଂ କରାଯାଇ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା । ମୁହଁରେ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ ଥିଲା। ନନ୍ଦନକାନନକୁ ୧୧ ହଜାର ୧୨ଜଣ ପର୍ଯ୍ୟଟକ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୨୯୯ ଜଣ ପର୍ଯ୍ୟଟକ ମଙ୍ଗଳବାର ଆସିଥିବା ନନ୍ଦନକାନନ ସହକାରୀ ବନସଂରକ୍ଷକ ଶରତ ଚନ୍ଦ୍ର ବେହେରା କହିଛନ୍ତି ।

Comments are closed.