ନନ୍ଦନକାନନ ପ୍ରାଣୀ ଉଦ୍ୟାନ: କଟାସ ଶାବକ ଜନ୍ମ, ଉଦ୍ଧାର କୁମ୍ଭୀର ସାତକୋଶିଆ ଗଲା

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୭ନମ୍ବର(ଚ) ଖୁଆଡରେ ରହୁଥିବା ଏକ କଟାସ ଗତ ଗୁରୁବାର ଦୁଇଟି ଶାବକ ଜନ୍ମ ଦେଇଛି। ମାଆ ଓ ଦୁଇ ଶାବକ ସୁସ୍ଥଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ, ଏହି ପ୍ରଜାତିର ପ୍ରାଣୀ କ୍ଷୁଦ୍ର ମାର୍ଜାର ଜାତୀୟ ପ୍ରାଣୀ। ଏମାନଙ୍କ ଶରୀର ଦୈର୍ଘ୍ୟ ୬୦ସେ.ମି.। କଟାସର କର୍ଣ୍ଣ ଲୋହିତ ବର୍ଣ୍ଣ ହୋଇଥିବା ଓ ଲୋମ ଦ୍ବାରା ଆବୃତ ହୋଇଥାଏ। ଏମାନଙ୍କୁ ରାତ୍ରିଚର ପ୍ରାଣୀ କୁହାଯାଏ। ଏମାନେ ବୁଦାଳିଆ ଜଙ୍ଗଲରେ ତଥା ଶୁଷ୍କ ଅରଣ୍ୟରେ ଦେଖାଯାଆନ୍ତି। ମାଈ କଟାସ ପ୍ରାୟ ୬୦ରୁ ୭୦ଦିନ ଗର୍ଭଧାରଣ କରି ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ଏକା ଥରକେ ୩ରୁ ୫ଟି ଶାବକ ଜନ୍ମ କରିଥାନ୍ତି। ସେହିପରି ଗତ ଶୁକ୍ରବାର ଦିନ ହଂସପାଳ ନିକଟ ପୁରୀ କେନାଲରୁ ଉଦ୍ଧାର ହୋଇ ଆସିଥିବା ୧୨ଫୁଟ ଲମ୍ବର ଅଣ୍ଡିରା ଘଡିଆଳ କୁମ୍ଭୀରକୁ କୁମ୍ଭୀର ବିଶେଷଜ୍ଞ ପ୍ରଫେସର ସୁଦର୍ଶନ ମହାଣାଙ୍କ ନେତୃତ୍ବରେ ଏକ ଟିମ ଶନିବାର ଅପରାହ୍ନରେ ନେଇ ମହାନଦୀର ସାତକୋଶିଆରେ ଛଡାଯାଇଥିବା ଜଣାପଡିଛି।

Comments are closed.