ଭୁବନେଶ୍ବର: ଇମ୍ପା ଗ୍ରୁପ୍ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦପ୍ତ ସମ୍ମାନଜନକ ଏକଲବ୍ୟ ପୁରସ୍କାର -୨୦୨୦ ପାଇଁ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ ମନୋନୀତ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ନମିତା ଟପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ପ୍ରଦାନ ଲାଗି ସର୍ବସମ୍ମତିକ୍ରମେ ମନୋନୟନ କରାଯାଇଛି। ଆଜି ଆନ୍ତର୍ଜାତିୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ବିଜେତା ଭାବେ ଜୁରି କମିଟି ପକ୍ଷରୁ ଘୋଷଣା କରାଯାଇଛି। ଆନ୍ତର୍ଜାତୀକ ହକି ପ୍ରତିଯୋଗିତାରେ ଭାରତରୁ ନମିତା ଟପ୍ପୋ ପ୍ରତନିଧ୍ୱତ୍ୱ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଓ ସମ୍ମାନ ଆଣିଛନ୍ତି। ସେହିପରି ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍ ଓ ବ୍ୟାଡ୍ମିଣ୍ଟନ ଖେଳାଳୀ ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ଘୋଷଣା କରାଯାଇଛି।

ଇମ୍ପାକ୍ଟ ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହେବ। ଆଗକୁ ଆୟୋଜିିତ ହେବାକୁ ଥିବା ସ୍ବତନ୍ତ୍ର ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ନମିତା ଟପ୍ପୋଙ୍କୁ ପୁରସ୍କାର ସ୍ବରୂପ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ସେହିପରି ଏହି ଉତ୍ସବରେ ସ୍ନେହା ସୋରେନ୍ ଓ ଋତୁପଣ୍ଣା ପଣ୍ଡାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ।
ସୂଚନାଯୋଗ୍ୟ ଯେ ଇମ୍ପା ଗ୍ରୁପ୍ ଦ୍ବାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର-୨୦୨୦ ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର। ଯାହାର ବିଜେତାଙ୍କୁ ନଗଦ ପୁରସ୍କାର ରାଶି ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ସେହିପରି ଦୁଇଗୋଟି ଉପବିଜେତା ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଯାହାର ପୁରସ୍କାର ରାଶି ୫୦ ହଜାର ଟଙ୍କା ଲେଖାଏଁ ରହିଛି।
ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ ଇମ୍ପା ଗ୍ରୁପ୍ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ)ଇମ୍ପାକ୍ଟ) ଦ୍ବାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତ୍ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୟମାନ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ମୂଳ ଲକ୍ଷ୍ୟ । ଯାହା ଫଳରେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିବେ।



